ପ୍ରେମରେ ଫସେଇ ୪ ବର୍ଷ ପରେ ଧୋକା

ନଗ୍ନ ଫଟୋ ଦେଖାଇ ଧମକ ଦେଲା, ବନ୍ଧା ହେଲା

ଖଣ୍ଡଗିରି: ବିବାହର ମିଛ ପ୍ରତିଶ୍ରୁତି ଦେଇ ଦୀର୍ଘ ୪ ବର୍ଷ କାଳ ଧୋକାବାଜ୍‌ ପ୍ରେମିକ ଜଣେ ଯୁବତୀଙ୍କୁ ପ୍ରେମରେ ଫସାଇ ରଖିଲା। ଶେଷରେ ବିବାହ କରିବନି ବୋଲି ରୋକ୍‌ଠୋକ୍‌ ମନା କରିଦେଲା। ଏମିତିକି ବିବାହ ପାଇଁ ଜିଦ୍‌ କଲେ ନଗ୍ନ ଫଟୋ ବଜାରକୁ ଛାଡ଼ିଦେବ ବୋଲି ଯୁବତୀଙ୍କୁ ଧମକ ଦେଲା। ଖାଲି ସେତିକି ନୁହେଁ, ରାସ୍ତାରୁ ହଟି ଯିବା ପାଇଁ ତାଙ୍କୁ ଓ ତାଙ୍କ ସାନ ଭଉଣୀକୁ ଅପହରଣ କରିନେବ ବୋଲି ଅଭିଯୁକ୍ତ ପ୍ରେମିକ ବାରମ୍ବାର ଚେତାବନୀ ଦେଲା। ଏଭଳି ଏକ ଭଣ୍ଡ ପ୍ରେମିକକୁ ଶୁକ୍ରବାର ଖଣ୍ଡଗିରି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ସ୍ଥାନୀୟ ଭରତପୁର ଲେନ୍‌-୫ରେ ରହୁଥିବା ବିଭୂତି ଭୂଷଣ ସାହୁ(୨୫)। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି।

ସୂଚନାନୁସାରେ ଅଭିଯୁକ୍ତ ବିଭୂତି ତାଙ୍କ ଲେନ୍‌ରେ ରହୁଥିବା ତନୁ(ଛଦ୍ମନାମ)ଙ୍କୁ ଭଲ ପାଇ ବସିଥିଲା। ବିବାହ କରିବ ବୋଲି କହି ପ୍ରେମ ଜାଲରେ ଫସାଇଥିଲା। ତନୁଙ୍କ ଅନିଚ୍ଛା ସତ୍ୱେ ବିଭୂତି ତାଙ୍କ ସହ ବାରମ୍ବାର ଦୈହିକ ସମ୍ପର୍କ ମଧ୍ୟ ରଖିଥିଲା। ବାହାରକୁ ବୁଲାଇ ନେଇ ସେ ବହୁତ ଥର ତନୁଙ୍କ ସହ ଦୈହିକ ସମ୍ପର୍କ ରଖିଥିଲା। ବିବାହର ପ୍ରତିଶ୍ରୁତି ପାଇ ତନୁ ମନା କରି ପାରିନଥିଲେ। ଏମିତିରେ ୪ ବର୍ଷ ବିତିଗଲା। ତନୁ ଜାଣିବାକୁ ପାଇଲେ ଯେ ବିଭୂତି ଅନ୍ୟତ୍ର ବିବାହ କରିବାକୁ ବସିଛି। ତେଣୁ ବିବାହ କରିବାକୁ ସେ ବିଭୂତିକୁ କହିଲେ। କଥା ଗଡ଼ାଇ ଗଡ଼ାଇ ଶେଷରେ ବିଭୂତି ମନା କରିଦେଲା। ଫଳରେ ତନୁ ଯେତେବେଳେ ବିବାହ ପାଇଁ ଜିଦ୍‌ ଧରିଲେ, ବିଭୂତି ତା’ର ଅସଲ ରୂପ ପ୍ରଦର୍ଶନ କଲା।

ତନୁଙ୍କ ଅଲକ୍ଷ୍ୟରେ ସେ ମୋବାଇଲ୍‌ରେ ସାଇତିଥିବା ତାଙ୍କର କିଛି ନଗ୍ନ ଫଟୋ ବଜାରକୁ ଛାଡ଼ି ତାଙ୍କୁ ବର୍‌ବାଦ୍‌ କରିଦେବ ବୋଲି ଧମକ ଦେଲା। ବିବାହ ଜିଦ୍‌ରୁ ଓହରି ନ ଗଲେ ସେ ତନୁ ଓ ତାଙ୍କ ସାନ ଭଉଣୀକୁ ଅପହରଣ କରିନେବ ବୋଲି ଚେତାବନୀ ମଧ୍ୟ ଦେଲା। ଗତ ୨ ତାରିଖରେ ତନୁ ବରମୁଣ୍ଡାରୁ ଏକୁଟିଆ ଘରକୁ ଫେରୁଥିବାବେଳେ ବାଟରେ ବିଭୂତି ତାଙ୍କୁ ଟଣାଓଟରା କରି ପୁଣି ଧମକ ଦେଇଥିଲା। ତେଣୁ ଶେଷରେ ବାଧ୍ୟ ହୋଇ ତନୁ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କଲେ। ଅଭିଯୋଗ ପାଇବା ପରେ ପୁଲିସ ବିଭୂତିକୁ ଧରି ଥାନାକୁ ଆଣି ପଚରାଉଚରା କଲା। କିନ୍ତୁ ଭଲ ପାଇବା କଥା ସ୍ୱୀକାର କଲେ ବି ବିବାହ କରିବ ନାହିଁ ବୋଲି ବିଭୂତି କହିଥିିଲା। ସେମାନଙ୍କ ମେଡିକାଲ୍‌ ଯାଞ୍ଚ କରାଯିବା ପରେ ପୁଲିସ ଆଜି ବିଭୂତିକୁ କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର