ଅହମଦାବାଦ: ୧୫ ବର୍ଷ ହେବ ଲିଭ୍-ଇନ୍ ପାର୍ଟନର୍ ଭାବେ ରହି ଆସୁଥିବା ଜଣେ ମହିଳା ତାଙ୍କର ସନ୍ଦେହୀ ତଥା ପାଗଳିଆ ପ୍ରେମିକଙ୍କ ଠାରୁ ପାଇଥିବା ଅକଥନୀୟ ଅତ୍ୟାଚାର କଥା ବଖାଣିଛନ୍ତି। ସୁନ୍ଦର ଦିଶୁ ଥିବାରୁ କାଳେ ସେ ଅନ୍ୟ କୌଣସି ପୁରୁଷ ଆଖିରେ ପଡ଼ିବ, ସେଥିଲାଗି ସେ ତାଙ୍କର ଦୁଇ ଛାମୁଦାନ୍ତ ଉପୁଡ଼ାଇ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
୫୭ ବର୍ଷୀୟ ପ୍ରେମିକ ଜଣେ ଅଟୋରିକ୍ସା ଚାଳକ ସେତିକିରେ ଅଟକି ଯାଇଥିଲେ। ୫୫ ବର୍ଷୀୟ ଗୀତା ବେନ୍ ନାମ୍ନୀ ଉକ୍ତ ମହିଳାଙ୍କୁ ସେ ପରଘରେ ଚାକରାଣୀ କାମ କରିବାକୁ ଛାଡୁ ନାହାନ୍ତି। ଏ ଭଳି ଦହଗଞ୍ଜରୁ ନିସ୍ତାର ପାଇବା ପାଇଁ ବୁଧବାର ଦିନ ସେ ଦୁଧେଶ୍ୱର ଅଞ୍ଚଳରେ ତାଙ୍କ ଅଟୋରିକ୍ସାରୁ ଡେଇଁ ପଡ଼ିଲେ।
ଜଣେ ବାଟୋଇ ମହିଳାଙ୍କ ନିମନ୍ତେ ହେଲ୍ପ୍ଲାଇନ୍ ‘୧୮୧ ଅଭୟମ’କୁ ଫୋନ୍ କଲେ। କାଉନ୍ସେଲର୍ମାନଙ୍କୁ ଗୀତାବେନ୍ କହିଥିଲେ ତାଙ୍କ ଦୁଃଖ କାହାଣୀ। ପ୍ରେମିକଙ୍କ ସନ୍ଦେହ ଯୋଗୁଁ ତାଙ୍କର ଆତ୍ମସମ୍ମାନ ଓ ସ୍ୱାଧୀନତା ରୁଦ୍ଧ ହୋଇ ଯାଇଥିବା କଥା ମଧ୍ୟ ସେ କହିଥିଲେ।
୧୫ ବର୍ଷ ତଳେ ଉଭୟ ପ୍ରେମରେ ପଡ଼ିଥିବା କଥା ଗୀତା ବେନ୍ ଅଧିକାରୀମାନଙ୍କୁ କହିଥିଲେ। ଉଭୟ ଥିଲେ ବିବାହିତ ଥିଲେ ମଧ୍ୟ ନିଜ ନିଜର ସ୍ୱାମୀ, ସ୍ତ୍ରୀ ଓ ପିଲାମାନଙ୍କୁ ଛାଡ଼ି ଚାଲି ଆସିଥିଲେ।
ସୁରୁଖୁରୁରେ ଗଡ଼ି ଚାଲିଥିଲା ସେମାନଙ୍କ ଜୀବନ। ଗତବର୍ଷ ଠାରୁ ହିଁ ପ୍ରେମିକଙ୍କ ସନ୍ଦେହ ବଢ଼ି ଚାଲିଲା।
ମୋ ଦାନ୍ତ ଉପୁଡ଼ାଇ, କାମ ବନ୍ଦ କରାଇବା ପରେ ତାଙ୍କର ସନ୍ଦେହ ଯେ ଘରେ ମୁଁ କାହା ସହ ଲୀଳା କରୁଛି। ଘର ଭିତରକୁ କେହି ଦେଖି ନ ପାରିବା ଭଳି ସେ ଝରକା ଓ ଦୁଆର ମୁହଁରେ ଅସ୍ୱଚ୍ଛ ପ୍ଲାଷ୍ଟିକ୍ ସିଟ୍ ଲଗାଇଛନ୍ତି।
ଶେଷରେ ପ୍ରେମିକ କହିଲେ କି, ସେ ଅଟୋ ନେଇ ଯୁଆଡ଼େ ଯିବେ ମୁଁ ସେଥିରେ ବସି ଯିବି। ଯାତ୍ରୀମାନଙ୍କୁ ନେଇ ଯିବା ବେଳେ ଦିନ ସାରା ସେ ମତେ ପାଖରେ ବସାଇ ନେଉଛନ୍ତି। ମୁଁ ବନ୍ଦିନୀ ପାଲଟି ଗଲିଣି।
କାଉନ୍ସେଲର୍ ସେ ପ୍ରେମିକଙ୍କୁ ଡକାଇ କହିଲେ କି, ସନ୍ଦେହ କୌଣସି ଉପଚାର ନାହିଁ। ଗୀତା ବେନ୍ ମଧ୍ୟ କହିଲେ କି, ସେ ତାଙ୍କୁ ନିବିଡ଼ ପ୍ରେମ କରନ୍ତି। ତାଙ୍କ ବିରୋଧରେ କୌଣସି ମାମଲା ରୁଜୁ କରା ନ ଯାଉ।
ଶେଷରେ ପ୍ରେମିକାଙ୍କ ସ୍ୱାଧୀନତା ଉପରେ କୌଣସି ଆକଟ କରିବେ ନାହିଁ ଲିଖିତ ଅଙ୍ଗୀକାର ପତ୍ର ଦେଲେ ପ୍ରେମିକ।