କମ୍ପାନିର ନର୍ଦେଶକ ବିଶାଖାପାଟଣାରୁ ଗିରଫ

ନିମ୍ନମାନର ଲୁହାପଥର ଦେଇ ୨କୋଟି ଟଙ୍କା ଠକେଇ

ଭୁବନେଶ୍ୱର: ନିମ୍ନମାନର ଲୁହାପଥର ଓ ଲୁହାଗୁଣ୍ଡ ଦେଇ ୨କୋଟି ଟଙ୍କା ଠକେଇ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ମାଜେଷ୍ଟିକ୍‌ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶକଙ୍କୁ ଗିରଫ କରିଛି। ତାଙ୍କ ନାଁ ରାଜେଶ ଚୌଧୁରୀ ଓରଫ ରାଜେଶ କେ(୩୯)।

ପୁଲିସ ସୂଚନା ମୁତାବକ, ଗତ କିଛିମାସ ତଳେ ରାଜେଶ ସ୍ୱସ୍ତିକ୍‌ ଆଗ୍ରୋପ୍ରଡକ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ନିର୍ଦେଶକ କାଶୀନାଥ ଭଟ୍ଟଙ୍କୁ ଉନ୍ନତ ମାନର ଲୁହାପଥର ଓ ଲୁହା ଗୁଣ୍ଡ ଦେବାକୁ କହି ୫କୋଟି ୧୮ଲକ୍ଷ ୯୧ ହଜାର ଟଙ୍କା ଅଗ୍ରୀମ ନେଇଥିଲେ। ହେଲେ ରାଜେଶ କାଶୀନାଥଙ୍କୁ ଉନ୍ନତମାନର ଲୁହାପଥର ଓ ଲୁହାଗୁଣ୍ଡ ଦେବା ବଦଳରେ ନିମ୍ନମାନର ୬୬୨୭.୯୦୦ ମାଟ୍ରିକ୍‌ ଟନ୍‌ ଖଣିଜ ପଦାର୍ଥ ଦେଇଥିଲେ। ଯାହାର ବଜାର ମୂଲ୍ୟ ୩କୋଟି ୪ଲକ୍ଷ ୯୨ ହଜାର ଟଙ୍କା। ଏଭଳି ନିମ୍ନମାନର ଖଣିଜ ପଦାର୍ଥ ପାଇବା ପରେ କାଶୀନାଥ ରାଜେଶଙ୍କୁ ଫୋନ୍‌କରି ଘଟଣା ବିଷୟରେ ଜଣାଇବା ସହ ଅବଶିଷ୍ଟ ୨କୋଟି ଟଙ୍କା ଫେରାଇବା ପାଇଁ ରାଜେଶଙ୍କୁ କହିଥିଲେ। ତେବେ ରାଜେଶ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ, କିନ୍ତୁ ଟଙ୍କା ଫେରାଇ ନଥିଲେ। ଏ ନେଇ କାଶୀନାଥ ଗତ ମାସ ୯ ତାରିଖରେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଶେଷରେ ଆଜି କ୍ୟାପିଟାଲ ଥାନା ପୁଲିସର ଏକ ଟିମ୍‌ ବିଶାଖାପାଟଣାରେ ପହଞ୍ଚି ରାଜେଶକୁ ଗିରଫ କରିଥିଲା। ଆଜି ତାଙ୍କୁ ଥାନାରେ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର