କୋଇଲା ଦୁର୍ନୀତି ମାମଲା : ମଧୁ କୋଡ଼ାଙ୍କୁ ୩ବର୍ଷ ଜେଲ୍‌

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁ କୋଡ଼ାଙ୍କୁ ଆଜି ଏକ ସ୍ୱତନ୍ତ୍ର କୋର୍ଟ ୩ବର୍ଷ ଜେଲ୍‌ଦଣ୍ଡ ଦେଇଛନ୍ତି। ଏହି ମାମଲାରେ ଅନ୍ୟତମ ଦୋଷୀ ସାବ୍ୟସ୍ତ ପୂର୍ବତନ କୋଇଲା ସଚିବ ଏଚ୍‌ ସି ଗୁପ୍ତା, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟ ସଚିବ ଏକେ ବସୁ ଏବଂ କୋଡ଼ାଙ୍କ ଘନିଷ୍ଠ ସହଯୋଗୀ ବିଜୟ ଯୋଶୀଙ୍କୁ ମଧ୍ୟ ଅଦାଲତ ୩ବର୍ଷ ଜେଲ୍‌ ଦଣ୍ଡାଦେଶ କରିଛନ୍ତି। ଏଥି ସହିତ କୋଡ଼ାଙ୍କ ଉପରେ ୨୫ ଲକ୍ଷ ଟଙ୍କା ଏବଂ ଗୁପ୍ତାଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରାଯାଇଛି। ସେହିପରି ସମ୍ପୃକ୍ତ ମାମଲାରେ କୋର୍ଟ କୋଲକାତାର କମ୍ପାନି ଭିନି ଆଇରନ ଏବଂ ଷ୍ଟିଲ୍‌ ଉଦ୍ୟୋଗ ଲି. ଉପରେ ମଧ୍ୟ ୫୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛନ୍ତି। ଅନ୍ୟପକ୍ଷରେ, କୋର୍ଟ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ୨ ମାସ ବୈଧାନିକ ଜାମିନ ମଞ୍ଜୁର କରିଛନ୍ତି ଯାହାଦ୍ୱାରା ସେମାନେ ଏହି ସମୟ ମଧ୍ୟରେ ଦଣ୍ଡାଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିପାରିବେ।

ଉଲ୍ଲେଖଯୋଗ୍ୟ, ଝାଡ଼ଖଣ୍ଡର ରାଜହର ନର୍ଥ କୋଲ୍‌ ବ୍ଲକ୍‌ରୁ କୋଲକାତାର ଭିସୁଲକୁ କୋଇଲା ଆବଣ୍ଟନରେ ଅନିୟମିତତା ହୋଇଥିବା ନେଇ ମଧୁ କୋଡ଼ାଙ୍କ ସମେତ ଅନ୍ୟ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତେବେ ଅଭିଯୁକ୍ତମାନେ ଦୁର୍ନୀତି ଏବଂ ଆପରାଧିକ ଷଡ଼ଯନ୍ତ୍ର ମାମଲାରେ ଦୋଷୀସାବ୍ୟସ୍ତ ହେବା ପରେ ଗତ ଗୁରୁବାର ମଧୁକୋଡ଼ା ତାଙ୍କର ଦୁଇଟି ନାବାଳିକା କନ୍ୟା ଅଛନ୍ତି ଦର୍ଶାଇ ଦଣ୍ଡ କୋହଳ କରାଯିବାକୁ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଆଜିର ଜେଲ୍‌ଦଣ୍ଡ ବିରୋଧରେ ମଧ୍ୟ ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ଏବଂ ତାଙ୍କ କ୍ଷେତ୍ରରେ ଦଣ୍ଡ କୋହଳ ହେବ ବୋଲି ସେ ଆଶା ରଖିଥିବା କହିଛନ୍ତି।

ସମ୍ବନ୍ଧିତ ଖବର