ମହାକାଳପଡ଼ା ଥାନାରୁ ଚୋରୀ ଅଭିଯୁକ୍ତ ଫେରାର ଘଟଣା: ଆଇଆଇସି ନିଲମ୍ବିତ

କେନ୍ଦ୍ରାପଡ଼ା: କର୍ତ୍ତବ୍ୟରେ ଅବହେଳା ଯୋଗୁଁ ମହାକାଳପଡ଼ା ଆଇଆଇସି ଶ୍ୟାମଘନ ବେହେରା ରବିବାର ନିଲମ୍ବିତ ହୋଇଛନ୍ତି। ଡିଜିପି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା କର୍ତ୍ତବ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବନ କରିଥିବା ସୂଚନା ମିିଳିଛି। ରିପୋର୍ଟ ଅନୁସାରେ ଆଇଆଇସି ବେହେରାଙ୍କ ଅବହେଳା ଯୋଗୁଁ ଥାନାରେ ଅଟକ ଥିବା ଅଭିଯୁକ୍ତ ଅବିନାଶ ପାଇତାଲ(୨୫)ଙ୍କ ମୃତ୍ୟୁ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ବଳନଳା ଗାଁର ଶରତ ଚନ୍ଦ୍ର ପାଇତାଲଙ୍କ ପୁଅ ହେଉଛି ଅବିନାଶ, ଯିଏ କି ଏକ ଚୋରୀ ଅଭିଯୋଗରେ ଭାରତୀୟ ଦଣ୍ଡ ସଂହିତା ଧାରା ୪୫୭/୩୮୦ରେ ୪୫/୧୮ରେ ଗିରଫ ହୋଇଥିଲା।

ଅବିନାଶକୁ ଗିରଫ କରିବା ପରେ ଶନିବାର ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ରାତି ୧୦ଟା ୩୦ରେ କୌଣସି ପ୍ରକାରେ ଚମ୍ପଟ ମାରି ଅବିନାଶ ଥାନା ଠାରୁ ପ୍ରାୟ ୧୫୦ ମିଟର ଦୂରରେ ଥିବା ଦଳିତ ସାହିର ଏକ ନିର୍ମାଣାଧିନ ଘରର ଉପର ମହଲାକୁ ଚଢ଼ି ଯାଇଥିଲା। ସେଠାରେ ସେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିଲା। ଘର ମାଲିକ ହଳଧର ମଲ୍ଲିକ ଆଜି ଅପରାହ୍ନରେ ଛାତ ଉପରକୁ ଯାଇଥିବା ବେଳେ ଜଣେ ଅଚିହ୍ନା ଯୁବକର ମୃତଦେହ ଝୁଲୁଥିବା ଦେଖିଥିଲେ। ସେ ଥାନାକୁ ଘଟଣା ସଂପର୍କରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳକୁ ପହଞ୍ଚିଲା ବେଳକୁ ଅବିନାଶର ମୃତଦେହ ଝୁଲୁଥିଲା।

ସମ୍ବନ୍ଧିତ ଖବର