ପିଲା ଚୋର ସନ୍ଦେହରେ ୫ଜଣଙ୍କୁ ପିଟିପିଟି ହତ୍ୟା

ଧୂଳିଆ(ମହରାଷ୍ଟ୍ର): ପିଲାଚୋର ସନ୍ଦେହରେ ରବିବାର ମହାରାଷ୍ଟ୍ରରେ ୫ଜଣଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଧୂଳିଆ ଜିଲ୍ଲାରେ ପିଲାଚୋର ଗୋଷ୍ଠୀର ଲୋକ ମନେକରି କିଛି ଲୋକ ୫ଜଣଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଲୋକଙ୍କ ଦ୍ୱାରା ମରଣାନ୍ତକ ମାଡ଼ ଖାଇବା ଦ୍ୱାରା ୫ଜଣ ଲୋକଙ୍କ ଜୀବନ ଚାଲି ଯାଇଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚିଥିଲା। ଗାଁରେ ଦେଖାଯାଇଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସାମାଜିକ ସଂଗଠନର ଲୋକଙ୍କୁ ଡାକି ପରିସ୍ଥିତିରେ ନିୟନ୍ତ୍ରଣ ଆଣିବାକୁ ଉଦ୍ୟମ କରାଯାଉଛି। ପୁଲିସ ଏହି ଘଟଣାରେ ୧୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଧୂଳିଆ ଜିଲ୍ଲା ଏସ୍‌.ପି ରାମକୁମାର ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଏହା ହେଉଛି ଆଦିବାସୀ ଅଧ୍ୟୁଷିତ ଅଂଚଳ। ଗାଁଲୋକେ ପିଲାଚୋର ସନ୍ଦେହରେ ପଥର ଓ ଠେଙ୍ଗାରେ ପିଟିଛନ୍ତି। ପରେ ଏକ କୋଠରି ଭିତରେ ବନ୍ଦ କରିଦେଇଛନ୍ତି। ପୁଲିସ ମାମଲାର ଯାଞ୍ଚ କରୁଛି। ଧୂଳିଆ ଜିଲ୍ଲାର ପଡୋଶୀ ନନ୍ଦୁରବାର ଜିଲ୍ଲାର ମସାବସ ତହସିଲ ଅଂଚଳରେ ଗତ ସପ୍ତାହରେ ଏଭଳି ଏକ ଘଟଣା ଘଟିଥିଲା। ଏକ କାରରେ ଆସୁଥିବା ଲୋକ ଅଟକାଇ ଗାଁ ଲୋକେ ନିସ୍ତୁକ ପିଟିଥିଲେ। ପରେ ଉତ୍ତେଜିତ ଲୋକେ କାରକୁ ଜାଳି ଦେଇଥିଲେ।
ସୂଚନାଯୋଗ୍ୟ, ପିଲାଚୋର ସନ୍ଦେହରେ ଓଡ଼ିଶାରେ ମଧ୍ୟ ବିଗତ ଦିନରେ ଅନେକ ଘଟଣା ଦେଖିବାକୁ ମିଳିଛି। ସେହିଭଳି ପଡ଼ୋଶୀ ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ମଧ୍ୟ ହତ୍ୟାକାଣ୍ଡ ଦେଖାଯାଇଛି।

ସମ୍ବନ୍ଧିତ ଖବର