ଆଉ କେହି ନ ଦେଖୁ, ସେଥପାଇଁ ଲିଭ୍‌ ଇନ୍‌ରେ ରହୁଥିବା ପ୍ରେମିକାର ଦୁଇ ଦାନ୍ତ ଭାଙ୍ଗିଲା ପ୍ରେମିକ

ଅହମଦାବାଦ୍‌: ଗୁଜୁରାଟରେ ଜଣେ ପ୍ରେମିକ ଆଉ ଅନ୍ୟ କେହି ନ ଦେଖୁ ବୋଲି ପ୍ରେମିକାର ଦାନ୍ତ ଭାଙ୍ଗିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ଜଣଙ୍କ ଜଣେ ରିକ୍ସା ଚାଳକ ହୋଇଥିବା ବେଳେ ପୀଡ଼ିତା ଘରେ ଘରେ ଯାଇ କାମ କରନ୍ତି । ୧୫ବର୍ଷ ହେଲା ଦୁହେଁ ଲିଭ୍‌ ଇନ୍‌ରେ ରହି ଆସୁଥିବା ବେଳେ ଧିରେ ଧିରେ ଅଭିଯୁକ୍ତ ପୀଡ଼ିତାଙ୍କୁ ବାହାରକୁ ଯିବାକୁ ମନା କରି ଦେଇଥିଲେ । ଘରର କବାଟ ବନ୍ଦ ରଖିବାକୁ କହିବା ସହ ଆଉ କେହି ଯେମିତି ତାଙ୍କୁ ପସନ୍ଦ ନ କରୁ ସେଥିପାଇଁ ଅଭିଯୁକ୍ତ ପୀଡ଼ିତାଙ୍କ ଆଗ ଦୁଇ ଦାନ୍ତ ଭାଙ୍ଗି ଦେଇଥିଲେ । ଏତେ ଅତ୍ୟାଚାର ପରେ ପୀଡ଼ିତା ରାଗରେ ଆଟୋରେ ଯାଉଥିବା ବେଳେ ଚଳନ୍ତା ଅଟୋରୁ ଡ଼େଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଏହି ଘଟଣାଟି ଅଗଷ୍ଟ ୧ରେ ଘଟିଥିବା ବେଳେ ରାସ୍ତରେ ପୀଡ଼ିତାଙ୍କୁ ଆହାତ ଅବସ୍ଥାରେ ପଡ଼ିଥିବାର ଦେଖି ରାସ୍ତାରେ ଯାଉଥିବା ଲୋକମାନେ ମହିଳା ହେଲ୍‌ପଲାଇନ୍‌କୁ କଲ୍‌ କରି ସୂଚନା ଦେଇଥିଲେ । ଯାହା ପରେ ତାଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ନିଆ ଯାଇଥିଲା ।

Zee News

ଚିକିତ୍ସା ସମୟରେ ପୀଡ଼ିତା ମନୋବିଜ୍ଞାନିଙ୍କୁ ପୂରା ଘଟଣା ବିଷୟରେ ଜଣାଇଥିଲେ । ପୀଡ଼ିତାଙ୍କ କହିବା ଅନୁଯାୟୀ, ଦୁହେଁ ନିଜର ସ୍ୱାମୀ,ସ୍ତ୍ରୀ ଏବଂ ପିଲାମାନଙ୍କୁ ଛାଡ଼ି ୧୫ବର୍ଷ ତଳୁ ଏକାଠି ରହିବାକୁ ଲାଗିଥିଲେ । ବର୍ଷେ ପର୍ଯ୍ୟନ୍ତ ସବୁ ଠିକ୍‌ ଚାଲିଥିବା ବେଳେ ବର୍ଷେ ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ସନ୍ଦେହ କରିବା ଆରମ୍ଭ କରିଥିଲେ । ଯାହା ପାଇଁ ପୀଡ଼ିତା ବାଧ୍ୟ ହୋଇ କାମ ଛାଡ଼ିବା ସହ ତାଙ୍କୁ ଆଗ ଦୁଇ ଦାନ୍ତ ଭାଙ୍ଗିବାକୁ ପଡ଼ିଥିଲା । ତଥାପି ପୀଡ଼ିତାଙ୍କୁ ଘରେ କେହି ଦେଖୁଥିବା ସନ୍ଦେହରେ ଅଭିଯୁକ୍ତ ସବୁ ବେଳେ ଘରର କବାଟ ବନ୍ଦ କରି ରଖୁଥିଲେ । ପୀଡ଼ିତାଙ୍କ ଠାରୁ ସବୁ ଶୁଣିବା ପରେ ଡ଼ାକ୍ତର ଅଭିଯୁକ୍ତକୁ ଡ଼ାକି ବୁଝାଇବା ସହ ପୀଡ଼ିତା ଅଭିଯୁକ୍ତଙ୍କ ବିରୋଧରେ କୌଣସି ଏତଲା ଦେବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର