ଘରେ ପଶି କର୍କଟ ରୋଗାକ୍ରାନ୍ତ ପତ୍ନୀଙ୍କ ପାଇଁ ଉଦ୍ଦିଷ୍ଟ ଟଙ୍କା ଓ ଅଳଙ୍କାର ଚୋରି କଲେ ସ୍ୱାମୀ

ନଇଡ଼ା: ଗ୍ରେଟର୍‌ ନଇଡ଼ାର ଏକ ସୁଉଚ୍ଚ ଆପାର୍ଟମେଣ୍ଟ୍‌ରେ ଥିବା ନିଜ ଘରେ ପଶି ଜଣେ ବ୍ୟକ୍ତି ତାଙ୍କ କର୍କଟ ରୋଗାକ୍ରାନ୍ତ ପତ୍ନୀଙ୍କ ଚିକିତ୍ସା ଲାଗି ରଖାଯାଇଥିବା ଟଙ୍କା ଓ ଅଳଙ୍କାର ଆଦି ଚୋରି କରିଥିବା ଅଭିଯୋଗରେ ପୁଲିସ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ବୁକ୍‌ କରିଛି। ପତ୍ନୀଙ୍କ ଅଭିଯୋଗ ଆଧାରରେ ତାଙ୍କ ସ୍ୱାମୀ ଓ ସ୍ୱାମୀଙ୍କର ଦୁଇ ଜଣ ସହଯୋଗୀଙ୍କୁ ବୁକ୍‌ କରାଯାଇଥିବା ଜଣା ପଡ଼ିଛି।

୪୭ ବର୍ଷୀୟ ମହିଳାଙ୍କ ଅଭିଯୋଗ ଅନୁସାରେ, ଗ୍ରେଟର୍‌ ନଇଡ଼ାର ସୂରଜପୁର ଠାରେ ଥିବା ନିଜ ଘରେ ତାଙ୍କ ସ୍ୱାମୀ ସୁରେନ୍ଦ୍ର ସିଂହ ନିଜ ଭାଇ ଶୈଳେନ୍ଦ୍ର ଏବଂ ବନ୍ଧୁ ନୀତିନଙ୍କ ସହ ଘରୁ ଚୋରି କରିଛନ୍ତି।

ଉଭୟଙ୍କ ବାହାଘରକୁ ୨୫ ବର୍ଷ ପୂରିଲାଣି ଏବଂ ସେମାନଙ୍କର ଦୁଇଟି ପିଲା ଅଛନ୍ତି। ଦିଲ୍ଲୀର ଏକ ଘରୋଇ ଫାର୍ମରେ ସୁରେନ୍ଦ୍ର ଇଞ୍ଜିନିୟର୍‌ ଭାବେ କାମ କରନ୍ତି ଓ ସେ ମହିଳା ଜଣେ ଶିକ୍ଷିକା।

ଅଭିଯୋଗ ହୋଇଥିବା ଘଟନାଟି ଜାନୁଆରି ୨୯ ତାରିଖ ଦିନ ଘରେ କେହି ନ ଥିବା ବେଳେ ଘଟିଛି। ଚିକିତ୍ସା ନିମନ୍ତେ ସେ ରଖିଥିବା ଟଙ୍କା ଓ ଗହଣା ତାଙ୍କ ସ୍ୱାମୀ ଚୋରାଇ ନେଇଛନ୍ତି।

ସୋସାଇଟିର ଜଣେ ଗାର୍ଡ ସେ ମହିଳାଙ୍କୁ କହିଲେ କି, ଘରର ମାଲିକ ବୋଲି କହି ତିନି ଜଣ ଲୋକ ଜଣେ ତାଲା ମିସ୍ତ୍ରୀ ସହ ମିଶି କବାଟ ଖୋଲିବାକୁ ଉଦ୍ୟମ କରୁଥିଲେ। ଘରେ ପହଞ୍ଚି ମହିଳାଜଣକ ଦେଖିଲେ, ଦୁଆର ଅଧା ମେଲା। ଘରୁ ସୁନାହାର, ଆଠପଟ ସୁନା ଚୁଡ଼ି, ହଳେ ସୁନା କାନଫୁଲ, ୮ଟି ସୁନା ମୁଦି, ୮୦ଟି ରୁପା ମୁଦ୍ରା, ରୁପା ଥାଳି, ଗୋଟିଏ ସ୍କୁଟର୍‌, ମୋ ଝିଅର ସୁନା କାନଫୁଲ ଓ ନଗଦ ପଚାଶ ହଜାର ଟଙ୍କା ଚୋରି ହୋଇ ଯାଇଛି।

ତାଲା ମିସ୍ତ୍ରୀ ସହ ତିନି ଜଣ ଦୁଆର ଭାଙ୍ଗି ପଶୁଥିବା ଦୃଶ୍ୟ ଆପାର୍ଟମେଣ୍ଟ୍‌ ବାହାରେ ଲାଗିଥିବା ସିସିଟିଭିରେ ଉତ୍ତୋଳିତ ହୋଇଛି। ଏବେ ସେ ଫୁଟେଜ୍‌ ପୁଲିସ ପାଖରେ।

ସ୍ୱାମୀ ମାରଧର କରିବାରୁ ସେ ଜାନୁଆରି ୨୫ ତାରିଖ ଦିନ ଥାନାକୁ ଫୋନ୍‌ କରି ଜଣାଇଥିଲେ। ସେଥିପାଇଁ ପୁଲିସ ସ୍ୱାମୀଙ୍କୁ ଅଳ୍ପ କିଛି ଦିନ ହାଜତରେ ରଖିଥିଲା।

କ୍ୟାନ୍‌ସର୍‌ ହୋଇଥିବା କଥା ଜଣାପଡ଼ିବା ପରେ ସ୍ୱାମୀ ଓ ତାଙ୍କ ମଧ୍ୟରେ ବିବାଦ ଉପୁଜିଥିଲା।

ମହିଳାଙ୍କ କହିବା କଥା, ସେ (ସ୍ୱାମୀ) କହିଥିଲେ କି, ତାଙ୍କର କିଛି ବର୍ଷ ହେବ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରହିଛି। ସେ ତାକୁ ବିବାହ କରିବାକୁ ଚାହାଁନ୍ତି। ତେଣୁ ମୋ ଚିକିତ୍ସା ନିମନ୍ତେ ଟଙ୍କା ଖର୍ଚ୍ଚ କରି ପାରବେ ନାହିଁ କହି ମୋର ସମସ୍ତ ଅର୍ଥ ନେଇ ଯିବାକୁ ଚାହିଁ ଥିଲେ।

ତାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

ସମ୍ବନ୍ଧିତ ଖବର