ପୁଅ ପାଇଁ ସ୍କୁଲ୍‌ରେ ସିଟ୍‌ ପାଇବାକୁ ବସ୍ତି ବାସିନ୍ଦା ସାଜିଲେ ବ୍ୟବସାୟୀ ବାପା

ନୂଆଦିଲ୍ଲୀ: ଆର୍ଥିକ ଦୁର୍ବଳ ବର୍ଗ କୋଟାରେ ଚାଣକ୍ୟପୁରୀସ୍ଥିତ ସଂସ୍କୃତି ସ୍କୁଲ୍‌ରେ ପୁଅର ଆଡ୍‌ମିସନ୍‌ ପାଇଁ ଜଣେ ବ୍ୟବସାୟୀ ବସ୍ତିବାସିନ୍ଦା ସାଜିଛନ୍ତି। ଘଟଣାଟି ୪ ବର୍ଷ ତଳର ହୋଇଥିଲେ ବି ଏ ଯାଏଁ କେହି ଏହାର ଟେର୍‌ ପାଇ ନ ଥିଲେ।

୨୦୧୩ରେ ନି ବଡ଼ ପୁଅର ଆଡ୍‌ମିସନ୍‌ କରାଇବାକୁ ଗୌରବ ଗୋଏଲ୍‌ ନିଜ ଠିକଣା ଚାଣକ୍ୟପୁରୀ ନିକଟବର୍ତ୍ତୀ ବସ୍ତି ସଞ୍ଜୟ କ୍ୟାମ୍ପ୍‌ ବୋଲି ଦର୍ଶାଇ ଥିଲେ। ତାଙ୍କର ବାର୍ଷିକ ଆୟ ୬୭, ୦୦୦ ବୋଲି ଜାଲ୍‌ ଆୟ କାଗଜପତ୍ର ଦାଖଲ କରିଥିଲେ ବୋଲି କୁହାଯାଉଛି। ଭୋଟର୍‌ କାର୍ଡ ଏବଂ ଜନ୍ମ ପ୍ରମାଣପତ୍ର ମଧ୍ୟ ନକଲ କରାଯାଇଥିବା ପ୍ରକାଶ। ସ୍କୁଲ୍‌ରେ ସେ କହିଥିଲେ କି, ସେ ଏକ ଏମ୍‌ଆର୍‌ଆଇ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି।
ବର୍ଷକୁ ବହୁବାର ଅନୁଷ୍ଠିତ ହେଉଥିବା ପିଲାର ଆଚରଣ ଏବଂ ପିତାମାତାଙ୍କ ସହ ସାକ୍ଷାତ୍‌କାରକୁ କୌଶଳ କ୍ରମେ ଏଡ଼ାଇ ଦିଆଯାଇଥିବାରୁ ସେମାନଙ୍କର ଅସଲ ପରିଚୟ ଜଣାପଡ଼ି ନ ଥିଲା। କିନ୍ତୁ, ଗୋଏଲ୍‌ ଭାଇଭଉଣୀ କୋଟାରେ ନିଜର ଦ୍ୱିତୀୟ ସନ୍ତାନକୁ ଏ ବର୍ଷ ଆଡ୍‌ମିସନ୍‌ କରାଇବାକୁ ଯିବାବେଳେ ବାସ୍ତବ କଥା ପଦାକୁ ଆସିଥିଲା। କଥା ଧରାପଡ଼ିଥିଲା ଗୋଏଲଙ୍କର ନିଜ ଜାଲିଆତି ଉପରେ ମାତ୍ରାଧିକ ଭରସା ଯୋଗୁଁ।

ବଡ଼ ପୁଅର ଆଟେଣ୍ଡାନ୍‌ସ୍‌ ଯାଞ୍ଚ କରିବାବେଳେ ସ୍କୁଲ୍‌ କର୍ତ୍ତୃପକ୍ଷମାନେ ବଡ଼ ତାରତମ୍ୟ ଦେଖି ପୁଲିସରେ କହିଲେ। ଉତ୍ତର ଦିଲ୍ଲୀସ୍ଥିତ କମଳା ନଗର ପାଖ ଜବାହର ନଗର ବାସଭବନରୁ ଗୋଏଲ୍‌ଙ୍କୁ ଗିରଫ କରାଗଲା। କିଏ ଗୋଏଲ୍‌ଙ୍କୁ ଜାଲ୍‌ କାଗଜପତ୍ର କରାଇ ଦେଲେ ତାହା ଜାଣିବାକୁ ପୁଲିସ ଉଦ୍ୟମ କରୁଛି।

ପୁଲିସ ଜାଣିବାକୁ ପାଇଲେ ଯେ ଗୋଏଲ୍‌ ଏକ ଏମ୍‌ଆର୍‌ଆଇ ଲ୍ୟାବ୍‌ର ମାଲିକ ଏବଂ ପାଇକାରୀ ଡାଲି ବିକ୍ରେତା। ତା’ଛଡ଼ା ସେ ୨୦ଟି ଦେଶ ଭ୍ରମଣ କରିଛନ୍ତି। ନିଜର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ହୋଇ ଯାଇଥିବାରୁ ପୁଅକୁ ସେ ଆର୍ଥିକ ଦୁର୍ବଳ ବର୍ଗରୁ ସାଧାରଣ ବର୍ଗକୁ ନେଇଯିବାକୁ ଚାହୁଁଛନ୍ତି ବୋଲି କହିବାରୁ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କର ସନ୍ଦେହ ହୋଇଥିଲା। ସଫଦରଗଞ୍ଜ ଏନ୍‌କ୍ଲାଭ୍‌ ଆପାର୍ଟମେଣ୍ଟ୍‌ରେ ନିଜ ବାସଭବନ ବୋଲି ସେ କହିବାରୁ ସ୍କୁଲ୍‌ର ସନ୍ଦେହ ଦୃଢ଼ ହୋଇଥିଲା। ଚାଣକ୍ୟପୁରୀ ଥାନାରେ ତାଙ୍କ ନାମରେ ମାମଲା ରୁଜୁ କରାଗଲା।

ତାଙ୍କ ପୁଅକୁ ସ୍କୁଲ୍‌ରୁ ବହିଷ୍କାର କରାଯାଇଛି ବୋଲି ସ୍କୁଲ୍‌ ତରଫରୁ ପ୍ରକାଶ।

ସମ୍ବନ୍ଧିତ ଖବର