ସଂସଦରେ ‘ତିନି ତଲାକ୍‌’ ବିଲ୍‌ ଉପରେ ଆଲୋଚନା ଚାଲିଥିବା ବେଳେ ୟୁପିରେ ଜଣେ ବ୍ୟକ୍ତି ତିନି ତଲାକ୍‌ କହି ପତ୍ନୀଙ୍କୁ ଦେଲେ ଛାଡ଼ପତ୍ର

ଲକ୍ଷ୍ନୌ: ତିନି ତଲାକ୍‌ ପ୍ରଥାକୁ ଏକ ଦଣ୍ଡନୀୟ ଅପରାଧ ରୂପେ ପରିଗଣିତ କରିବା ପାଇଁ ଆଜି ସଂସଦରେ ପାରିତ ବିଲ୍‌ ଉପରେ ବିତର୍କ ଚାଲିଥିବା ବେଳେ ଉତ୍ତରପ୍ରଦେଶରେ ଜଣେ ମୁସଲମାନ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ତିନି ଥର ତାଲାକ୍‌ କହି ଛାଡ଼ପତ୍ର ଦେଇଥିବା ଜଣାପଡ଼ିଛି। ଆଜି ସକାଳୁ ଶଯ୍ୟାତ୍ୟାଗ କରିବାରେ ସାମାନ୍ୟ ବିଳମ୍ବ ଘଟିବା ଅପରାଧରେ ସଂପୃକ୍ତ ବ୍ୟକ୍ତି ଜଣକ ତିନି ଥର ତଲାକ୍‌ କହି ତାଙ୍କ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଉତ୍ତରପ୍ରଦେଶ ରାମପୁର ଜିଲ୍ଲା ଅନ୍ତର୍ଗତ ଆଜମ୍‌ନଗରରେ ରହୁଥିବା କ୍ୱାସିମ୍‌ ନାମକ ଜନୈକ ମୁସ୍‌ଲିମ୍‌ ବ୍ୟକ୍ତି ଛଅ ମାସ ତଳେ ଗୁଲ୍‌ ଅଫ୍‌ସାନ୍‌ ନାମକ ଜନୈକା ମହିଳାଙ୍କୁ ବିବାହ କରିଥିଲେ। ତେବେ, ବିବାହ ପରଠାରୁ କ୍ୱାସିମ୍‌ ତାଙ୍କ ସବୁଦିନେ ବିନା କାରଣରେ ମାରଧର କରି ଆସୁଥିଲେ। ତେବେ, ଆଜି ସକାଳୁ ନିଦ ଭାଙ୍ଗିବାରେ ତାଙ୍କର ଟିକିଏ ବିଳମ୍ବ ଘଟିବାରୁ କ୍ୱାସିମ୍‌ ତାଙ୍କୁ ତିନି ଥର ତଲାକ୍‌ କହି ଛାଡ଼ପତ୍ର ଦେଲେ ବୋଲି ଘୋଷଣା କରିବା ସହ ଘରୁ ତଣ୍ଟିଆ ମାରି ବାହାର କରି ଦେଇଥିଲେ। ଗୁଲ୍‌ଙ୍କୁ ଘର ଭିତରୁ ପଦାକୁ ବାହାର କରିଦେବା ପରେ କ୍ୱାସିମ୍‌ ଘରେ ତାଲା ପକାଇ ଚାବି ପକାଇ କେଉଁଆଡ଼େ ପଳାଇ ଯାଇଥିଲେ।

zeenews.india.com

ପରେ ଏହି ଘଟଣାରେ ଅପଦସ୍ତ ଓ ଅନୋନ୍ୟପାୟ ହୋଇ ରାସ୍ତା କଡ଼ରେ ବସି କାନ୍ଦୁଥିବା ବେଳେ ପାଖ ପଡ଼ୋଶୀଙ୍କ ଠାରୁ ଖବର ପାଇଁ ଆଜମ୍‌ନଗର ପୁଲିସ୍‌ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ତେବେ, ଗୁଲ୍‌ ଅଦ୍ୟାବଧି ତାଙ୍କ ସ୍ୱାମୀ କ୍ୱାସିମ୍‌ଙ୍କ ବିରୋଧରେ କୌଣସି ପ୍ରକାର ଅଭିଯୋଗ ଆଗତ କରି ନଥିବାରୁ ପୁଲିସ୍‌ ଏମାମଲାରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନେଇପାରି ନଥିବା ଥାନା ଅଧିକାରୀ ସଞ୍ଜୟ ଯାଦବ ସୂଚନା ଦେଇଛନ୍ତି। ତେବେ ଘଟଣା ସଂପର୍କରେ ବିଧିବଦ୍ଧ ଅଭିଯୋଗ ପାଇବା ମାତ୍ରେ ଆମେ ଅବିଳମ୍ବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବୁ ବୋଲି ମଧ୍ୟ ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ. ଗତ ଅଗଷ୍ଟ ମାସରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟ ନିଜ ରାୟରେ ତିନି ତଲାକ୍‌କୁ ‘ଅଣସାମ୍ବିଧାନକ’ ଓ ‘ବେ-ଆଇନ୍‌’ ବୋଲି ଘୋଷଣା କରିବା ପରେ ସୁଦ୍ଦା ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୬୬ଟି ତିନି ତଲାକ୍‌ ମାମଲା ଘଟି ସାରିଲାଣି। ଏହି ପରିପ୍ରେକ୍ଷୀରେ ତିନି ତଲାକ୍‌କୁ ଭାରତୀୟ ଦଣ୍ଡବିଧି ଆଇନ୍‌ ଅନୁଯାୟୀ ଏହାକୁ ଏକ ଧର୍ତ୍ତବ୍ୟ ଅପରାଧ ରୂପେ ବିବେଚନା କରିବା ସହ ଏଥିପାଇଁ ଦଣ୍ଡବିିଧାନ କରିବାକୁ ସଂସଦରେ ସରକାରଙ୍କ ପକ୍ଷରୁ ଆଗତ ଏକ ବିଲ୍‌ ଉପରେ ଆଲୋଚନା ଚାଲିଥିବା ବେଳେ ଉତ୍ତରପ୍ରଦେଶରେ ଘଟିଥିଲା ଏହି ଅଭାବନୀୟ ଘଟଣା।

ସମ୍ବନ୍ଧିତ ଖବର