ମୋବାଇଲ୍‌ ଚୋରକୁ ଧରିବା ଲାଗି ଚଳନ୍ତା ରେଳରୁ ଡେଇଁଲେ ଯୁବକ

ମୁମ୍ବାଇ: ବୁଧବାର ଦିନ ବାଇକୁଲ୍ଲାରୁ କ୍ୟୁରେ ରୋଡ୍‌ ମଧ୍ୟରେ ଏକ ଲୋକାଲ୍‌ ଟ୍ରେନ୍‌ରେ ଯାତ୍ରାକରୁଥିବା ବେଳେ ମୋବାଇଲ୍‌ ଫୋନ୍‌ ଝାମ୍ପି ନେଇଥିବା ଜଣେ ଦୁର୍ବୃତ୍ତକୁ ଧରିବା ଲାଗି ଜଣେ ଯାତ୍ରୀ ଚଳନ୍ତା ରେଳରୁ ଡେଇଁ ପଡ଼ିଛନ୍ତି।

ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍‌ସ୍ଥିତ ସରକାରୀ ରେଳବାଇ ପୁଲିସ (ଜିଆର୍‌ପି) କହିବା ଅନୁସାରେ, କଲ୍ୟାଣ ବାସିନ୍ଦା ୨୯ ବର୍ଷିୟ ଅକ୍ଷୟ ଗାଏକ୍‌ଓ୍ଵାଡ୍‌ ରାତି ପ୍ରାୟ ୧ଟା ବେଳେ ବାଇକୁଲ୍ଲାରେ ପହଞ୍ଚିବା ସମୟରେ ତାଙ୍କ ମ୍ୟାନେଜର୍‌ଙ୍କ ଠାରୁ ନିଜ ୭ ହଜାର ଟଙ୍କିଆ ଫୋନ୍‌ରେ କଲ୍‌ ପାଇଲେ କି, ସେ କୁରେ ରୋଡ୍‌ସ୍ଥିତ ଅଫିସ୍‌କୁ ଫେରି ଆସନ୍ତୁ।

ଫୋନ୍‌ରେ କଥାବାର୍ତ୍ତା କରୁଥିବା ଅବସ୍ଥାରେ ତରବର ହୋଇ ଗାଏକ୍‌ଓ୍ଵାଡ୍‌ ସେ ଟ୍ରେନ୍‌ରୁ ଓହ୍ଲାଇ ବିପରୀତ ଦିଗମୁଖୀ ଅନ୍ୟ ଏକ ଟ୍ରେନ୍‌ରେ ଚଢ଼ିଥିଲେ। ସେ ଟ୍ରେନ୍‌ ଚାଲିବା ଆରମ୍ଭ କରିବା କ୍ଷଣି ନିକଟରେ ବସିଥିବା ଅନ୍ୟ ଜଣେ ଯାତ୍ରୀ ତାଙ୍କ ଫୋନ୍‌ଟିଙ୍କୁ ଝାମ୍ପି ନେଇ ପଳାଇଥିଲେ। ପ୍ଲାଟ୍‌ଫର୍ମରେ ଡଜନାଧିକ ଯାତ୍ରୀ ଦେଖୁଥିବା ବେଳେ ଗାଏକ୍‌ଓ୍ଵାଡ୍‌ ଚଳନ୍ତା ରେଳରୁ ଡିଅାଁମାରି ତା’ର ଅନୁଧାବନ କଲେ।

ଦୁର୍ବୃତ୍ତକୁ ଗୋଡ଼ାଇ ଗୋଡ଼ାଇ ଷ୍ଟେସନ୍‌ ବାହାର ଯାଏଁ ସେ ପ୍ରାୟ କିଲୋମିଟର ଗଲେ, କିନ୍ତୁ ଲୋକଟି ଗଳିକନ୍ଦି ରାସ୍ତା ଦେଇ କୁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲା। ବହୁ ଖୋଜାଖୋଜି ପରେ ବି ଗାଏକ୍‌ଓ୍ଵାଡ୍‌ ତାକୁ ପାଇଲେ ନାହିଁ। ପରେ ସେ ଜିଆର୍‌ପିକୁ ଆସି ଅଜ୍ଞାତ ତସ୍କର ବିରୋଧରେ ଅଭିଯୋଗ ଦାଏର କଲେ। କେଉଁ ବାଟ ଦେଇ ଚୋରର ଅନୁଧାବନ କରିଥିଲେ ତାହା ମଧ୍ୟ ପୁଲିସ ନେଇ ଦେଖାଇ ଦେଲେ। ପୁଲିସ ସେ ଅଞ୍ଚଳର ସିସିଟିଭି କ୍ୟାମେରା ରେକର୍ଡିଙ୍ଗ୍‌ ଯାଞ୍ଚ କରି ଅଜ୍ଞାତ ଅଭିଯୁକ୍ତକୁ ଚିହ୍ନଟ କଲେ।

ଦୁର୍ବୃତ୍ତ ହେଉଛି ୨୦୧୩ ଠାରୁ ଅନେକ ଥର ଗିରଫ ହୋଇ ଥିବା ୨୪ ବର୍ଷିୟ ରାଜିକ୍‌ ଅଲ୍‌ତାଫ୍‌ ଶେଖ୍‌। ଏବର୍ଷ ପ୍ରାରମ୍ଭରେ ସେ ଜେଲ୍‌ରୁ ମୁକୁଳି ଥିଲା ବୋଲି ବରିଷ୍ଠ ଜିଆର୍‌ପି ଇନ୍‌ସ୍‌ପେକ୍ଟର୍‌ ହେମନ୍ତ ଭଣ୍ଡାରକର କହିଛନ୍ତି। ସମୁଦାୟ ୫ ଘଣ୍ଟାର ପରିଶ୍ରମ ପରେ ବାଇକୁଲ୍ଲାସ୍ଥିତ ତାଙ୍କ ଘରୁ ପୁଣି ଥରେ ପୁଲିସ ରାଜିକ୍‌କୁ ଗିରଫ କରିଛି।

ସମ୍ବନ୍ଧିତ ଖବର