ବିନା ଅନୁମତିରେ ଜିନ୍‌ସ୍‌ ପିନ୍ଧିବାରୁ ସାନଭାଇକୁ ଛୁରି ମାରି ହତ୍ୟା କଲେ ବଡ଼ଭାଇ

ଲକ୍ଷ୍ନୌ: ବିନା ଅନୁମତିରେ ବଡ଼ଭାଇଙ୍କ ଜିନ୍‌ସ୍‌ ପିନ୍ଧିବାରୁ ନିଜର ୩୫ ବର୍ଷିୟ ସାନଭାଇକୁ ଛୁରିମାରି ହତ୍ୟା କରିଛନ୍ତି ୩୭ ବର୍ଷିୟ ବଡ଼ଭାଇ। ଉତ୍ତର ପ୍ରଦେଶର ଆହ୍ଲାବାଦ ଜିଲ୍ଲା ଅନ୍ତର୍ଗତ ଥରଓ୍ଵାଇ ଅଞ୍ଚଳରେ ଗୁରୁବାର ଦିନ ଘଟିଛି ଏଇ ଘଟନା। ପୀଡ଼ିତଙ୍କ ନାମ ସୁରେନ୍ଦ୍ର ଏବଂ ଅଭିଯୁକ୍ତ ନାମ ରାଜେନ୍ଦ୍ର ବୋଲି ଜଣାପଡ଼ିଛି।

ସୁରେନ୍ଦ୍ରକୁ ଛୁରି ମାରି ରାଜେନ୍ଦ୍ର ଘଟନାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ପୁଲିସ ନରହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଚଢ଼ାଉ ଜାରି ରଖିଛି।

ଆହ୍ଲାବାଦ ଏସ୍‌ଏସ୍‌ପି ନିତିନ୍‌ ତିଓ୍ଵାରି କହନ୍ତି: ଘଟଣା ସଂକ୍ରାନ୍ତରେ ସୂଚନା ପାଇ ପୁଲିସ ସଙ୍ଗେ ସଙ୍ଗେ ଘଟନାସ୍ଥଳରେ ପହଞ୍ଚିଥିଲା। ଡାକ୍ତରଖାନାକୁ ନେବା ବାଟରେ ସୁରେନ୍ଦ୍ରଙ୍କର ମୃତ୍ୟୁ ଘଟିଲା। ମାମଲା ରୁଜୁ କରାଯାଇଛି ଏବଂ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିଟି ପୁଲିସ ଜବତ କରିଛି। ଖୁବ୍‌ ଶୀଘ୍ର ଆମେ ଅଭିଯୁକ୍ତଙ୍କୁ ଗିରଫ କରିବୁ।

ପୁଲିସ କର୍ତ୍ତୃପକ୍ଷମାନେ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରଟି ରଖିଥିବା ବେଳେ ପୀଡ଼ିତଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହତ୍ୟାକାଣ୍ଡ ସମ୍ପର୍କରେ ସବିଶେଷ ତଥ୍ୟ ମିଳି ପାରିବ।

ଥାରଓ୍ଵାରି ଥାନା ଭାରପ୍ରାପ୍ତ ଅଧିକାରୀ ରାଜ କୁମାର କହନ୍ତି, ପରିବାର ଲୋକେ ଦେଇଥିବା ବୟାନ ଅନୁସାରେ, ସୁରେନ୍ଦ୍ର ବିନା ଅନୁମତିରେ ତାଙ୍କ ବଡ଼ଭାଇ ରାଜେନ୍ଦ୍ରଙ୍କ ଜିନ୍‌ସ୍‌ ପ୍ୟାଣ୍ଟ୍‌ ପିନ୍ଧିଥିଲେ। ଏଥିଯୋଗୁଁ ଉଭୟ କଜିଆ କରିଥିଲେ। ରାଗରେ ବାତୁଳ ହୋଇ ରାଜେନ୍ଦ୍ର ସୁରେନ୍ଦ୍ରଙ୍କୁ ଛୁରି ମାରି ସେଠାରୁ ଖସି ଯାଇଥିଲେ।

ମାମୁଲି କଥା ପାଇଁ ରାଜେନ୍ଦ୍ର ସୁରେନ୍ଦ୍ରକୁ ହତ୍ୟା କରିଛି ବୋଲି ମାଆ ମମତାଙ୍କର ବିଶ୍ୱାସ ହେଉନାହିଁ। ଦୁହେଁ ଏମିତି କଜିଆ କରନ୍ତି କିନ୍ତୁ, ଏଭଳି ମାଡ଼ଗୋଳ କେବେ ଲାଗି ନ ଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ବି ଏଥିରେ କାବା ହୋଇ ଯାଇଛନ୍ତି।

ସମ୍ବନ୍ଧିତ ଖବର