କ୍ୟାବ୍‌ ଡ୍ରାଇଭରକୁ ଅପହରଣ ଏବଂ ହତ୍ୟା ଅଭିଯୋଗରେ ମହିଳା ଏବଂ ତାଙ୍କ ପ୍ରେମିକ ଗିରଫ

ନୂଆଦିଲ୍ଲୀ: ଗତ ଜାନୁଆରି ୨୮ ତାରିଖରୁ ନିରୁଦ୍ଦିଷ୍ଟ ଥିବା କ୍ୟାବ୍‌ ଡ୍ରାଇଭର ରାମ ଗୋବିନ୍ଦଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା। ଏହି ହତ୍ୟା ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କ ସମେତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଓଲା କ୍ୟାବ୍‌ ବୁକ୍‌ କରି ଡ୍ରାଇଭରକୁ ଅପହରଣ କରିନେଇଥିଲେ। ସେମାନେ ତାକୁ ଗାଜିଆବାଦରେ ହତ୍ୟା କରିଥିଲେ। ଦୁଇ ଅଭିଯୁକ୍ତ କାରକୁ ମୁରାଦାବାଦ୍‌ରେ ଛାଡ଼ି ଡ୍ରାଇଭରର ଶବକୁ ଖଣ୍ଡ ଖଣ୍ଡ କାଟି ନଳାରେ ଫିଙ୍ଗି ଦେଇଥିଲେ।


ପୁଲିସ ଘଟଣାର ପର୍ଦ୍ଦାଫାସକରି ଅଭିଯୁକ୍ତ ଫରହତ୍‌ ଅଲୀ (୩୪) ଓ ସୀମା ଶର୍ମା ଓରଫ ଅସୀମା ଖାତୁନ୍‌ଙ୍କୁ ଗିରଫ କରିଛି। ସୀମା ନିଜର ସ୍ୱାମୀଙ୍କୁ ଛାଡ଼ି ଅଲଗା ରହୁଥିଲେ । ଏ ଦୁହେଁ ଲିଭ୍‌ ଇନରେ ଥିଲେ । ସେ ଦୁହେଁ ଗିରଫ ହେବାପରେ ସ୍ୱୀକାର କରିଥିଲେ ଯେ ଶକୁରପୁର ନିବାସୀ ରାମ ଗୋବିନ୍ଦକୁ ଅପହରଣ କରି ଗାଜିଆବାଦରେ ଥିବା ନିଜ ଭଡା ଘରକୁ ନେଇଥିଲେ। ସେମାନେ ଚା’ରେ ନିଶା ମିଶାଇ ଡ୍ରାଇଭରକୁ ପିଆଇଥିଲେ। ରାମଗୋବିନ୍ଦ ବେହୋଶ ହେବାପରେ ତା’ର ତଣ୍ଟି ଚିପି ହତ୍ୟା କରିଥିଲେ। କ୍ୟାବକୁ ବିକି ସେହି ଅର୍ଥରେଏକ କ୍ଲିନିକ୍‌ ଖୋଲିବା ଲାଗି ସେଦୁହେଁ ଏଭଳି କାଣ୍ଡ ଭିଆଇଥିବା କଥା ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର