ମା’ଙ୍କ ମୃତ୍ୟୁ ପରେ ଶବ ସଂସ୍କାର ନକରି ତିନି ବର୍ଷ ଧରି ଘର ଭିତରେ ଶବକୁ ସାଇତି ରଖିଥିଲେ ପୁଅ

କୋଲକାତା: ମା’ଙ୍କ ମୃତ୍ୟୁ ପରେ ତାଙ୍କ ମୃତଦେହର ଶବସଂସ୍କାର ନ କରି କିମ୍ବା ମୃତ ଶରୀରକୁ କବର ନ ଦେଇ ତା’କୁ ନିଜ ଘରେ ଏକ ଫ୍ରିଜର ମଧ୍ୟରେ ଦୀର୍ଘ ତିନି ବର୍ଷକାଳ ସାଇତି ରଖିବା ଅପରାଧରେ ଦକ୍ଷିଣ କୋଲକାତା ପୋଲିସ୍‌ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ପୋଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ସୁବ୍ରତ ମଜୁମଦାର ନାମକ ଜନୈକ ବ୍ୟକ୍ତିଙ୍କ ମାତା ବୀଣା ଗତ ଅପ୍ରେଲ ୭, ୨୦୧୫ରେ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତେବେ, ନିଜ ମା’ଙ୍କ ପରଲୋକ ପରେ ସୁବ୍ରତ ତାଙ୍କ ମୃତଦେହର ଶବସଂସ୍କାର ନ କରି କିମ୍ବା କବର ନ ଦେଇ ତା’କୁ ନିଜ ଘରେ ଏକ ବଡ଼ ଫ୍ରିଜର ମଧ୍ୟରେ ‘ଶବ ସଂରକ୍ଷଣ ପ୍ରକ୍ରିୟା’ (ମମିଫିକେସନ୍‌) ମାଧ୍ୟମରେ ସାଇତି ରଖିବା ସହ ସଂପୃକ୍ତ ରିଫ୍ରିଜରେଟିକୁ ତାଙ୍କ ଘରର ପ୍ରଥମ ମହଲାରେ ସାଇତି ରଖିଥିଲେ। ସୁବ୍ରତ ମଜୁମଦାର ଜଣେ ଲେଦର ଟେକ୍ନୋଲୋଜିଷ୍ଟ ଭାବେ କାର୍ଯ୍ୟ କରୁଥିବା ବେଳେ କୋଲକାତାର ଦକ୍ଷିଣ ବେହେଲା ଅଞ୍ଚଳରେ ଏକ ଦୁଇତାଲା ବିଶିଷ୍ଟ ଘରେ ରହୁଥିଲେ। ତାଙ୍କ ସହିତ ତାଙ୍କ ବାପା ଗୋପାଳ ମଜୁମ୍‌ଦାର ମଧ୍ୟ ଏକତ୍ର ରହୁଥିଲେ।
କେତେକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଦକ୍ଷିଣ କୋଲକାତା ପୋଲିସ୍‌ ସୁବ୍ରତ ମଜୁମଦାରଙ୍କ ଘରେ ପହଞ୍ଚି ବୀଣାଙ୍କ ମୃତ ଶରୀରକୁ ଜବତ କରିବା ସହ ଏ ସଂପର୍କରେ ସୁବ୍ରତ ଓ ଗୋପାଳଙ୍କୁ ପଚରାଉଚୁରା ଜାରି ରଖିଛି। ଏବେ ଘଟଣା ସଂପର୍କରେ ତଦନ୍ତ ଅବ୍ୟାହତ ରହିଥିବାରୁ ପୋଲିସ୍‌ ଏସଂପର୍କରେ ଅଧିକ କିଛି ତଥ୍ୟ ଦେବାକୁ ମନା କରିଦେଇଛି।

ସମ୍ବନ୍ଧିତ ଖବର