ମାଙ୍ଗାଲୋର୍: ମାଙ୍ଗାଲୋର୍ ବିମାନ ବନ୍ଦର ଠାରେ ତିନୋଟି ବଡ଼ ବଡ଼ କଖାରୁ ଭିତରେ ୧୦ କିଲୋ ଗଞ୍ଜାଇ ପୂରାଇ ନେଉଥିବା ଜଣେ ବ୍ୟକ୍ତିଙ୍କୁ ଶୁକ୍ରବାର ସନ୍ଧ୍ୟାରେ ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍) ଗିରଫ କରିଛି।
ବିମାନ ବନ୍ଦରରେ ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍) ଯାତ୍ରୀମାନଙ୍କର ବ୍ୟାଗେଜ୍ ସ୍କାନ୍ ଓ ଯାଞ୍ଚ କରୁଥିବା ସମୟରେ କେ. ଟି. କେ. ବସୀର ନାମକ କର୍ଣ୍ଣାଟକ ନିବାସୀ ସେ ବ୍ୟକ୍ତିଙ୍କୁ ଅଟକା ଯାଇଥିଲା। ଅପରାହ୍ଣ ପ୍ରାୟ ୪. ୧୫ ମିନିଟ୍ ସମୟରେ ତାଙ୍କ କ୍ୟାବିନ୍ ବ୍ୟାଗ୍ରେ କିଛି ବଡ଼ ଗୋଲାକାର ଚିଜ ଥିବା କଥା ଜାଣିବାକୁ ପାଇଥିଲେ ଯାଞ୍ଚ କରୁଥିବା କର୍ମଚାରୀମାନେ।
ତାହା କ’ଣ ବୋଲି ଜାଣିବାକୁ ବସୀରଙ୍କ ବ୍ୟାଗ୍ ଖୋଲା ଯିବାରୁ ସେଥିରୁ ୩ଟି ବଡ଼ କଖାରୁ ବାହାରିଥିଲା। ସେ ସବୁ ଦେଖି ଅଧିକାରୀଙ୍କର ମନରେ ସନ୍ଦେହ ଜାତ ହେବାରୁ ସେମାନେ କଖାରୁଗୁଡ଼ିକୁ କାଟି ପକାଇଲେ। କଖାରୁ ଭିତରୁ ବାହାରିଲା ପ୍ଲାଟିକ୍ ଜରିରେ ଗୁଡ଼ା ହୋଇଥିବା ଗଞ୍ଜାଇ। ଜବତ ହୋଇଥିବା ଗଞ୍ଜାଇର ପରିମାଣ ୧୦ କି. ଗ୍ରା. ବୋଲି କୁହାଯାଉଛି।
ଦୋହାକୁ ବିମାନ ଯାତ୍ରା କରିବାକୁ ସେ ବ୍ୟକ୍ତି ଏବଂ କଖାରୁ ଭିତରୁ ଜବତ କରା ଯାଇଥିବା ଗଞ୍ଜାଇକୁ କଷ୍ଟମ୍ ବିଭାଗ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି।