ଭୋପାଳ: ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ୧୦ ବର୍ଷ କାରାଦଣ୍ଡାଦେଶ ପାଇବାର ଅଳ୍ପ ସମୟରେ ମଧ୍ୟ ପ୍ରଦେଶର ଏକ ଅଦାଲତ ମଧ୍ୟରେ ବିଚାରପତିଙ୍କ ସମ୍ମୁଖରେ ଜଣେ ୩୩ ବର୍ଷିୟ ବ୍ୟକ୍ତି ନିଜର ଗଳା କାଟି ପକାଇଛନ୍ତି।
ଦୁଷ୍କର୍ମ ଅଭିଯୁକ୍ତ ଓଁକାର ମେହେର ସଙ୍ଗରେ ନେଇଥିବା ଗୋଟାଏ ତୀକ୍ଷ୍ଣ ଅସ୍ତ୍ରରେ ନିଜ ଗଳା କାଟିବାକୁ ତିନି ଥର ଉଦ୍ୟମ କରିଥିଲେ। ମେହେରାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଛି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା କଥା ଜଣାପଡ଼ିଛି।
ସାଗର ଜିଲ୍ଲା ଅନ୍ତର୍ଗତ ବିଣାର ବାସିନ୍ଦା ମେହେରା ବିଣା ତୈଳ ରିଫାଇନାରିରେ କାମ କରୁଥିଲେ। ପ୍ରାୟ ତିନି ବର୍ଷ ତଳେ ଫେସ୍ବୁକ୍ ଜରିଆରେ ଛତ୍ରପୁର ଅଞ୍ଚଳର ସିଭିଲ୍ ଲାଇନ୍ସ୍ ଅଞ୍ଚଳରେ ରହୁଥିବା ଜଣେ ଛାତ୍ରୀଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା।
ସେ ଛାତ୍ରୀଟି ୨୦୧୬ ମସିହାରେ ସିଭିଲ୍ ଲାଇନ୍ସ୍ ଥାନାରେ ଦୁଷ୍କର୍ମ ମାମଲା ରୁଜୁ କରିବା ପରେ ତାଙ୍କୁ ଗିରିଫ କରାଯାଇ ପରେ ଜାମିନ୍ରେ ଛାଡ଼ି ଦିଆଯାଇଥିଲା।
ମଙ୍ଗଳବାର ଦିନ ଅତିରିକ୍ତ ସେସନ୍ ଜଜ୍ ନୋରିନ୍ ନିଗମଙ୍କ ଅଦାଲତ ତାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ।
ସେ ରାୟ ଶୁଣାଇବା ମାତ୍ରେ ଅଭିଯୁକ୍ତ ନିଜ ପ୍ୟାଣ୍ଟ୍ ପକେଟରୁ ଛୁରିଟାଏ ବାହାର କରି ତିନି ଥର ଭୁସି ହୋଇଥିଲେ।
ସେ ଜାମିନ୍ରେ ଯାଇଥିଲେ ଏବଂ ଆପଣାଛାଏଁ ଅଦାଲତକୁ ଆସିଥିବାରୁ ଅଦାଲତ ଭିତରକୁ ଛୁରିଟାଏ ନେଇ ଯିବାରେ ସମର୍ଥ ହୋଇଥିବା କଥା ଛତ୍ରପୁର ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ କହିଛନ୍ତି।
ଅଭିଯୁକ୍ତଙ୍କ ବାପା ରାମପ୍ରସାଦ ଅହିଓ୍ଵାର୍ କହିଛନ୍ତି ଯେ ତାଙ୍କ ପୁଅ ନିର୍ଦୋଷ ସେ ଝିଅଙ୍କର କୌଣସି ପଡ଼ୋଶୀ ଏ ସଂକ୍ରାନ୍ତରେ ସାକ୍ଷୀ ଦେଇ ନାହାନ୍ତି।