ଅସଦାଚରଣ ଅଭିଯୋଗ ଆସିବା ପରେ ପୀଡିତା ପରିବାରଙ୍କୁ ଏସିଡ ମାଡ କଲା ଅଭିଯୁକ୍ତ

ଉତ୍ତରପ୍ରଦେଶ: ଆଲିଗଡ଼ ରାମପୁର ବିଦାରକା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତିଙ୍କ ଉପରେ ଅସଦାଚରଣ ଅଭିଯୋଗ ଆସିବା ପରେ ସେ ଜଣେ ଯୁବତୀ ଓ ତାଙ୍କ ପରିବାରର ତିନିଜଣଙ୍କୁ ଏସିଡ ମାଡ କରିଛି। ପୁଲିସ ଏହି ଘଟଣାରେ ୫ଜଣଙ୍କୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ପୀଡିତା ଗାଈର ଗୋବର ଫିଙ୍ଗିବା ପାଇଁ ପାଖ ପଡ଼ିଆକୁ ଯାଇଥିବା ସମୟରେ ଅଭିଯୁକ୍ତ ତିଲକ ସିଂହ(୨୨) ତାଙ୍କୁ ଅସଦାଚଣ କରିଥିଲା। ଅସଦାଚରଣର ଶିକାର ହେବା ପରେ ଯୁବତୀ ଘରକୁ ଆସି ପିତା-ମାତାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହି ଘଟଣା ଘଟିବାର କିଛି ସମୟ ପରେ ତିଲକ ଯୁବତୀଙ୍କ ଘରକୁ ଆସିଥିଲା। ଯୁବତୀଙ୍କୁ ମାଡଧର କରିବା ସହିତ ତାର ପରିବାର ଲୋକ ଉପରକୁ ଏସିଡ ମାଡ କରିଥିଲା। ଏହି ଘଟଣାରେ ଯୁବତୀଙ୍କ ୬୦ବର୍ଷର ବୃଦ୍ଧ ପିତା, ଛୋଟ ଭାଇ ଓ ଭଉଣୀ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।

ପୀଡିତାଙ୍କ ଭାଇଙ୍କ କହିବାନୁସାରେ, ‘ମୋ ଭଉଣୀକୁ ସିଂହ ଅନେକ ଦିନ ହେବ ହଇରାଣ ହରକତ କରି ଆସୁଥିଲା। ଗ୍ରାମବାସୀଙ୍କ ଅନେକ ବୁଝାସୁଝା ପରେ ସେ କିଛିଦିନ ହେବ ନିଜର ଏପରି କର୍ମରୁ ନିବୃତ୍ତ ଥିଲା। ପୁଣିଥରେ ମୋ ଭଉଣୀକୁ ଏଭଳି ଅସଦାଚରଣ କରିବା ସହିତ ଏସିଡ ମାଡ କରିଥିଲା।

ବରିଷ୍ଠ ପୁଲିସ ଅଧ୍ୟକ୍ଷକ ରାଜେଶ ପାଣ୍ଡେ କହିଛନ୍ତି, ତିଲକ ସିଂହ ଓ ତାଙ୍କ ପିତା ହରି ସିଂହ, ଭାଇ ରାଜା ବିକ୍ରମ ଦେବ, କାକା ଖମାନି ରାମ ଓ ଭାଇ ଦର୍ଶନ ସିଂହଙ୍କ ବିରୋଧରେ ୧୪୭,୧୪୮,୩୨୩,୩୫୪,୫୦୬ ଓ ୩୨୬ (ଏ) ଧାରାରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର