ନଓ୍ଵି ମୁମ୍ବାଇ ଷ୍ଟେସନରେ ଯୁବତୀଙ୍କୁ ଜବରଦସ୍ତି ଚୁମ୍ବନ ଦେବାକୁ ଉଦ୍ୟମ କରି ଜଣେ ଗିରଫ

ମୁମ୍ବାଇ: ନଓ୍ଵି ମୁମ୍ବାଇର ତୁର୍ଭେ ରେଳ ଷ୍ଟେସନ୍‌ରେ ଜଣେ ବ୍ୟକ୍ତି ଏକ ଝିଅକୁ ଜବରଦସ୍ତି ଚୁମ୍ବନ ଦେବାକୁ ଉଦ୍ୟମ କରୁଥିବାର ଦୃଶ୍ୟ କ୍ୟାମେରାରେ ଉତ୍ତୋଳିତ ହୋଇଛି।

ସେ ଭିଡିଓରେ ଦେଖା ଯାଉଛି, ଷ୍ଟେସନ୍‌ରେ ଲୋକଟିଏ ଚାଲି ଚାଲି ସେ ଝିଅ ଆଡ଼କୁ ଯାଉଛି। ଝିଅଟିର ଅତି ପାଖରେ ପହଞ୍ଚିବା ପରେ ବ୍ୟକ୍ତି ଜଣକ ତାଙ୍କୁ ଧରି ପକାଇ ଚୁମ୍ବନ ଦେବାକୁ ଉଦ୍ୟମ କରୁଛନ୍ତି। ଆଚମ୍ବିତ ହୋଇ ଝିଅଟି ପ୍ରତିଆକ୍ରମଣ କରନ୍ତେ, ଲୋକଟି ସ୍ୱାଭାବିକ ଭାବେ ସେଠାରୁ ପଳାଇ ଯାଉଛି।

ଷ୍ଟେସନ୍‌ରେ ତାଙ୍କ ଚାରିପଟେ ଥିବା ଲୋକଙ୍କ ପ୍ରତି ସେ ବ୍ୟକ୍ତିଙ୍କର ତିଳେ ମାତ୍ର ଭୟ ଥିବା ଜଣାପଡୁନାହିଁ। ଭିଡିଓ ଚିତ୍ର ଅନୁସାରେ ସେଠାରେ ଉପସ୍ଥିତ ଥିବା କୌଣସି ଲୋକ ଝିଅଟିକୁ ସାହାଯ୍ୟ କରିବାକୁ ଆସୁଥିବାର ଦେଖା ଯାଉନାହିଁ।

ଗୁରୁବାର ଦିନ ଝିଅଟି କାର୍ଯ୍ୟସ୍ଥଳୀକୁ ଯିବା ପାଇଁ ତୁର୍ଭେ ରେଳ ଷ୍ଟେସନ୍‌ରେ ଘାନ୍‌ସୋଲିକୁ ଯିବା ପାଇଁ ଲୋକାଲ୍‌ ଟ୍ରେନ୍‌କୁ ଅପେକ୍ଷା କରିଥିବା ବେଳେ ଏହି ଲଜ୍ଜାକର ଘଟନାଟି ଘଟିଥିଲା।


Courtesy: ANI

ଘଟଣା ଘଟିବାର କେଇ ମିନିଟ୍‌ ପରେ, ଆର୍‌ପିଏଫ୍‌ ସେ ଲୋକଟିକୁ ଗିରଫ କରିଥିଲେ। ୪୩ ବର୍ଷିୟ ସେ ଲୋକଟିର ନାଁ ନରେଶ କୁମାର ଜୋଷୀ।

ସିସିଟିଭି କ୍ୟାମେରା ଫିଡ୍‌କୁ ମନିଟରିଙ୍ଗ୍‌ କରୁ କରୁ ପିଆରଏଫ୍‌ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଷ୍ଟେସନ୍‌ ପରିସରରେ ସନ୍ଦେହଜନକ ଭାବେ ବୁଲାବୁଲି କରୁଥିବା ଲୋକଟିକୁ କ୍ୟାମେରା ଫିଡ୍‌ରେ ଦେଖିବା ପରେ ତା’ ଉପରେ ଲକ୍ଷ୍ୟ ରଖାଯାଇଥିଲା। ଘଟଣା କ୍ୟାମେରାରେ ଧରାପଡ଼ିବା ମାତ୍ରେ ପୁଲିସ ସେଠାକୁ ଧାଇଁ ଯାଇଥିଲେ।

ଝିଅଟି ଅଭିଯୋଗ ଫାଇଲ୍‌ କରିବା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର