ଲିଭ୍‌ ଇନ୍‌ ରିଲେସନ୍‌ ପାର୍ଟନରଙ୍କୁ ହତ୍ୟା: ଯୁବକଙ୍କ ସହିତ ୫ ଗିରଫ

ରାୟପୁର: ସେମାନେ ବିବାହ କରି ନ ଥିଲେ। ଆଧୁନିକତାର ଛାପରେ ସେମାନେ ଗତ ୮ ବର୍ଷ ହେବ ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିଲେ। ଦୀର୍ଘ ଦିନର ଏହି ସମ୍ପର୍କରୁ ସେମାନଙ୍କର ଦୁଇଟି ପିଲା ମଧ୍ୟ ହୋଇଥିଲେ। ମାତ୍ର ୮ ବର୍ଷ ପରେ ଯୁବତୀ ଜଣକ ବିବାହ କରିବା ପାଇଁ ଅଡ଼ି ବସିଥିଲେ। ଅପରପକ୍ଷେ ଯୁବକ ଜଣକ ଯୁବତୀଙ୍କ ସହିତ ଲିଭ ଇନ୍‌ ରିଲେସନରେ ପୂର୍ଣ୍ଣଛେଦ ପକାଇ ଅନ୍ୟତ୍ର ବିବାହ କରିଥିଲେ। ଏହା ଜାଣିବା ପରେ ଯୁବତୀ ଜଣକ କ୍ଷୁବ୍ଧ ହୋଇଥିଲେ। ଏ ନେଇ ଯୁବତୀ ଜଣକ ଥାନାରେ ଯୁବକଙ୍କ ନାମରେ ମାମଲା ରୁଜୁ କରିଥିଲେ। ତେବେ ଏହି ସବୁଦିନିଆ କଳିରୁ ରକ୍ଷା ପାଇବା ପାଇଁ ଯୁବକ ଜଣକ ତାଙ୍କ ଲିଭ ଇନ୍‌ ପାର୍ଟନରଙ୍କୁ ହତ୍ୟା କରି ତାଙ୍କ ସମ୍ପର୍କୀୟଙ୍କ ସହାୟତାରେ ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ତେବେ ହତ୍ୟାକାଣ୍ଡର ୮ ଦିନ ପରେ ମୃତ ଯୁବତୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଜଙ୍ଗଲରୁ ଯୁବତୀଙ୍କ ଗଳିତ ଶବ ଉଦ୍ଧାର କରିବା ସହିତ ବ୍ୟବଛେଦ ପାଇଁ ପଠାଇଛି। ଏହି ଘଟଣାରେ ପୁଲିସ ଯୁବତୀଙ୍କ ଲିଭ ଇନ୍‌ ରିଲେସନ ପାର୍ଟନରଙ୍କ ସମେତ ମୋଟ୍‌ ୫ ଜଣଙ୍କୁ ଗିରଫ କରିଛି। ଏପରି ଏକ ଘଟଣାଘଟଛି ଛତିଶଗଡ଼ର ରାୟପୁର ଅଞ୍ଚଳରେ।
ପୁଲିସ ସୂତ୍ରରୁ ପ୍ରକାଶ ଯେ , ରାୟପୁରର ଅମ୍ବିକାପୁର ଅଞ୍ଚଳର ପିତିୟାରୋ ନାମକ ଜଣେ ଯୁବତୀ ୮ ଦିନ ହେବ ଧମଧମିୟାପଡ଼ା ଗ୍ରାମ ନିକଟରୁ ଗତ ନଭେମ୍ବର ୧୧ ନିଖୋଜ ହୋଇ ଯାଇଥିବା ନେଇ ତାଙ୍କ ବାପା ଗତ ନଭେମ୍ବର ୧୫ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରୁଥିବା ପୁଲିସ ଗ୍ରାମାବାସୀଙ୍କୁ ପଚରା ଉଚରା କରି ଜାଣି ପାରିଥିଲେ ଯେ ନିଖୋଜ ଯୁବତୀ ପତିୟାରୋଙ୍କର ରାମ ନାରାୟଣ ନାମକ ଜଣେ ଯୁବକଙ୍କ ସହିତ ଲିଭ୍‌ ଇନ ରିଲେସନ ଥିଲା ଓ ଦୀର୍ଘ ୮ ବର୍ଷରୁ ଊର୍ଧ୍ୱ ସମୟ ହେବ ସେମାନେ ଲିଭ୍‌ ଇନ ରିଲସନ୍‌ରେ ରହିବା ଫଳରେ ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। ଏହି ସୂଚନା ଆଧାରରେ ପୁଲିସ ରାମନାରାୟଣଙ୍କୁ ଥାନାକୁ ଡକାଇ ପଚରା ଉଚରା କରିଥିଲା। ପଚରା ଉଚରା ସମୟରେ ଯୁବତୀଙ୍କ ସହିତ ତାଙ୍କର ସମ୍ପର୍କ ଥିଲା ଓ ଏହି ସମ୍ପର୍କରୁ ସେମାନଙ୍କର ଦୁଇଟି ସନ୍ତାନ ଥିବା ମଧ୍ୟ ରାମନାରାୟଣ ସ୍ୱୀକାର କରିଥିଲା। ରାମ ନାରାୟଣ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାରୁ ଏହା ପତିୟାରୋଙ୍କୁ କ୍ଷୁବ୍ଧ କରିଥିଲା ଓ ସେ ରାମ ନାରାୟଣ ଠାରୁ ଅଲଗା ରହିବା ସହିତ ତାଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ। ଏଥିପାଇଁ ଗତ ୧୧ ତାରିଖ ଦିନ ରାମନାରାୟଣ କଅଁଳିଆ କଥା କହି ପତିୟାରୋଙ୍କୁ ଭେଟିବାକୁ ଡକାଇଥିଳେ।ତାଙ୍କୁ ସେମାନଙ୍କ ପୁରୁଣା ଦିନର ସ୍ମୃତି କଥା ମନେ ପକାଇ ରାମନାରାୟଣ ପତ୍ରାରୋୟଙ୍କ ସହିତ ତାଙ୍କ ଘର ପାଖରେ ଶାରୀରିକ ସମ୍ପର୍କ ରଖିବା ସହିତ ଥାନାରୁ ମାମଲା ଉଠାଇ ନେବାକୁ କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପତିୟାରୋ ରାମନାରାୟଣ ସହିତ ଯୁକ୍ତିତର୍କ କରିବାରୁ ରାମନାରାୟଣ ଏକ ଟାେଓ୍ଵଲରେ ପତିୟାରୋଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ଏହା ପରେ ତାଙ୍କ ବାପା, ମାଆ ଭଉଣୀ ଓ ଜଣେ ସମ୍ପର୍କୀୟ ଭାଇ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ପତିୟାରୋଙ୍କ ମୃତଦେହକୁ ପୁରାଇ ଝିଙ୍ଗୋ ଜଙ୍ଗଲରେ ଫିଙ୍ଗ ଦେଇଥିଲେ। ରାମନାରାୟଣଙ୍କ ସୂଚନା ଆଧାରରେ ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଏହି ହତ୍ୟାକାଣ୍ଡରେ ସାମିଲ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର