ଆକାଶବାଣୀରେ ଆସିଥିବା ଯୌନ ଶୋଷଣ ମାମଲାର ତଦନ୍ତ ଲାଗି ମନ୍ତ୍ରୀ ରାଠୋରଙ୍କୁ ଚିଠି ଲେଖିଲେ ମାନେକା

ନୂଆଦିଲ୍ଲୀ: ଅଲ୍‌ ଇଣ୍ଡିଆ ରେଡିଓ(ଆକାଶବାଣୀ)ର କିଛି ମହିଳା ଯୌନ ଶୋଷଣର ଶିକାର ହୋଇଥିବା ରିପୋର୍ଟ ପ୍ରକାଶ ପାଇବା ପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି। ମାନେକା ଗାନ୍ଧୀ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ନିକଟକୁ ଏ ନେଇ ଏକ ଚିଠି ଲେଖିଛନ୍ତି।

ତାଙ୍କ ଚିଠିରେ ମାନେକା ଏହା ସୁନିଶ୍ଚିତ କରିବା ପାଇଁ ରାଠୋରଙ୍କୁ କହିଛନ୍ତି କି ଅକାଶବାଣୀର ମହିଳାମାନଙ୍କ ସହ ହେଉଥିବା ଯୌନ ନିର୍ଯାତନା ମାମଲାର ତଦନ୍ତ କରିବା ପାଇଁ ସମ୍ବେଦନଶୀଳ ଓ ଉଚିତ ପ୍ରକ୍ରିୟା ନିର୍ଣ୍ଣୟ କରାଯାଉ।

ଆକାଶବାଣୀରେ ସାମୟିକ ଘୋଷିକା ଭାବେ କାର୍ଯ୍ୟ କରୁଥିବା କିଛି ମହିଳା ଯୌନ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ଆସିବା ପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ଚିଠି ପ୍ରେରଣ କରାଯାଇଛି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ #ମିଠୁ ଅଭିଯାନ ଜରିଆରେ ଦେଶରେ ରହିଥିବା ଆକାଶବାଣୀର ବିଭିନ୍ନ ଶାଖାରେ ଯୌନ ନିର୍ଯାତନା ମାମଲାର ଉଦାହରଣ ଦେଖିବାକୁ ମିଳିସାରିଛି। ଏହି #ମିଠୁ ଅଭିଯାନକୁ ନେଇ ମାନେକା ଗାନ୍ଧୀ ତତ୍ପରତା ପ୍ରକାଶ କରିଛନ୍ତି। ଏପରିକି ନିକଟରେ ସେ ବିଭିନ୍ନ ରାଜନୈତିକ ଦଳଙ୍କୁ ଯୌନ ନିର୍ଯାତନା ମାମଲାର ତଦନ୍ତ କରିବା ପାଇଁ ଆନ୍ତରୀକ୍ଷ ଅଭିଯୋଗ ସମିତି ଗଠନ ପାଇଁ ମଧ୍ୟ କହିଥିଲେ।

ସମ୍ବନ୍ଧିତ ଖବର