ମାଇକ୍ରୋ ଫାଇନାନ୍‌ସ ପୂର୍ବତନ ସିଏମ୍‌ଡିଙ୍କୁ ଇଡି ଜେରା

ଭୁବନେଶ୍ୱର : ମାଇକ୍ରୋ ଫାଇନାନ୍‌ସ ଚିଟ୍‌ଫଣ୍ଡ ସ୍କାମ୍‌ରେ ସିବିଆଇ ଦ୍ୱାରା ଗିରଫ ହୋଇ ଜାମିନ୍‌ରେ ଥିବା ସଂସ୍ଥାର ପୂର୍ବତନ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଦୁର୍ଗା ପ୍ରସାଦ ମିଶ୍ରଙ୍କୁ ଆଜି ଜେରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ସନ୍ଧ୍ୟାରେ ଦୁର୍ଗା ପ୍ରସାଦ ଇଡିରେ ହାଜର ହେବା ପରେ ତିନିଜଣ ଅଧିକାରୀ ତାଙ୍କୁ ପ୍ରାୟ ଦୁଇ ଘଣ୍ଟା ଜେରା କରିଥିଲେ। କମ୍ପାନି ବିଭିନ୍ନ ଲୋଭନୀୟ ସ୍କିମ୍‌ ଜରିଆରେ ଲୋକଙ୍କଠାରୁ ୫୦୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ୨୦୧୪ ଡିସେମ୍ବରରେ ଦୁର୍ଗା ପ୍ରସାଦଙ୍କୁ ସିବିଆଇ ଗିରଫ କରିଥିଲା। ୨୦୧୭ ଜୁଲାଇ ମାସରେ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟ ମାମଲାର ବିଚାର କରି ୩ ବର୍ଷ ଜେଲ ଓ ଜମାକାରୀଙ୍କ କ୍ଷତି ଭରଣା ଲାଗି ୨୧୫ କୋଟି ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଦୁର୍ଗାପ୍ରସାଦ ନିଜର ଦୋଷ ମଧ୍ୟ ସ୍ବୀକାର କରିଥିଲେ। ଏହା ପ‌ରେ ସେ ଜାମିନରେ ଆସିଥିଲେ। ଆଦେଶକୁ ଦୁଇ ବର୍ଷ ପୂରିଥିଲେ ମଧ୍ୟ ସେ ଜମାକାରୀଙ୍କୁ ଟଙ୍କା ଫେରାଇ ନଥିବାରୁ ଆଜି ଇଡି ତାଙ୍କୁ ଜେରା କରିଥିବା କୁହାଯାଉଛି। ସେହିଭଳି ଦୁର୍ଗାଙ୍କ ପୂର୍ବରୁ ଗିରଫ ହୋଇ ଜେଲ୍‌ରେ ଥିବା ଅନ୍ୟ ଜଣେ ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକଙ୍କୁ ମଧ୍ୟ ସାଢେ଼ ୩ ବର୍ଷ ଜେଲ୍ ଦଣ୍ଡ ଓ ୧୦୫ କୋଟି ଟଙ୍କା ଜରିମାନା ଆଦେଶ ଦିଆଯାଇଥିଲା।

୨୦୧୨ରେ ସଂସ୍ଥା ଓଡ଼ିଶାର ବିଭିନ୍ନ ସ୍ଥାନରେ ଶାଖା ଖୋଲି ପାଖାପାଖି ୫ଶହ କୋଟି ଟଙ୍କାର ଠକେଇ କରିଥିଲା। ପ୍ରଥମେ ଏହି ଠକେଇର ତଦନ୍ତ କ୍ରାଇମ୍‌ ବ୍ରାଞ୍ଚ ଆରମ୍ଭ କରିଥିଲା । ପରେ ସିବିଆଇ ନେଇଥିଲା। ସିଏମ୍‌ଡି ଦୁର୍ଗା ପ୍ରସାଦ ମିଶ୍ର, ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକ ଓ ବୈକୁଣ୍ଠନାଥ ପଟ୍ଟନାୟକଙ୍କୁ ୨୦୧୪ ମାର୍ଚ୍ଚ ମାସରେ ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର