ମଧ୍ୟାହ୍ନ ଭୋଜନ ଚାଉଳ ନେଇଗଲେ

ଖଣ୍ଡଗିରି : ରବିବାର ରାତିରେ ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ଜାଗସରାପାଟଣାସ୍ଥିତ ପ୍ରାଥମିକ ବିଦ୍ୟାଳୟରୁ ଦୁର୍ବୃତ୍ତମାନେ ୨ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ସମେତ ରନ୍ଧା ଉପରକରଣ ଓ ୨ଟି ଫ୍ୟାନ୍‌ ଚୋରି କରି ନେଇଛନ୍ତି। ଏ ନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଫାଣ୍ଡିରେ ଅଭିଯୋଗ କରାଯାଇଛି। ପୁଲିସ ଦୁର୍ବୃତ୍ତମାନଙ୍କୁ ଠାବ କରିବା ପାଇଁ ଛାନ୍‌ଭିନ୍ ଜାରି ରଖିଛି। ଗାଁର କିଛି ଅସାମାଜିକ ଯୁବକ ଏହି କାଣ୍ଡ କରିଥିବା ଚର୍ଚ୍ଚା ହେଉଛି। ସୂଚନାନୁସାରେ, ଆଜି ଶିକ୍ଷକ/ଶିକ୍ଷୟିତ୍ରୀମାନେ ବିଦ୍ୟାଳୟ ଖୋଲିବା ବେଳକୁ ଏହି ଚୋରି ବାବଦରେ ଜଣାପଡ଼ିଥିଲା। ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ଓ ରନ୍ଧା ଉପକରଣ ରହୁଥିବା ଷ୍ଟୋର୍‌ ରୁମ୍‌ର ତାଲା ଭଙ୍ଗା ହୋଇ ତଳେ ପଡ଼ିଥିଲା। ପରେ ଜଣାପଡ଼ିଲା ଯେ ୩ ବସ୍ତା ଚାଉଳ, ୨ଟି ଡେକ୍‌ଚି, କିଛି ଥାଳି ଓ ୨ଟି ନୂଆ ଫ୍ୟାନ୍‌ ଚୋରି ହୋଇ ଯାଇଛି। ଖରାଦିନ ପୂର୍ବରୁ ଫ୍ୟାନ୍‌ ୨ଟି ଶ୍ରେଣୀ ଗୃହରେ ଲଗାଯିବାର ଥିଲା। ବିଦ୍ୟାଳୟରୁ ଚୋରି ହୋଇଥିବା ଖବର ପ୍ରଚାରିତ ହେବା ପରେ ଗ୍ରାମବାସୀମାନେ ସେଠାରେ ରୁଣ୍ଡ ହୋଇଥିଲେ। ପରିଚାଳନା କମିଟି ପକ୍ଷରୁ ଫାଣ୍ଡିରେ ଅଭିଯୋଗ କରିବାକୁ ନିଷ୍ପତ୍ତି ହୋଇଥିଲା। ଗାଁର କିଛି ଅସାମାଜିକ ଯୁବକ ରାତିରେ ବିଦ୍ୟାଳୟ ପରିସରରେ ମଦ ପିଇ ଖଟି କରୁଥିବା ନେଇ ସେମାନେ ପୁଲିସକୁ ସୂଚନା ଦେଇଛନ୍ତି। ସେହିମାନେ ହିଁ ଏହି କାଣ୍ଡ କରିଥି‌ବା ଗ୍ରାମବାସୀମାନେ ସନ୍ଦେହ କରୁଛନ୍ତି।

ସମ୍ବନ୍ଧିତ ଖବର