ରାତି ଅଧିରେ ଯୁବକଙ୍କୁ ଘରୁ ଟେକି ଆଣି ଖଣ୍ଡା ଚୋଟ, ଜଣେ ଅଟକ

ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ରାତି ପ୍ରାୟ ୪ଟାରେ ୩ଜଣ ଦୁର୍ବୃତ୍ତ ମଇଁଷିଆଖାଲ ବସ୍ତିରୁ ଜଣେ ଯୁବକଙ୍କୁ ଟେକି ଆଣି ଖଣ୍ଡାରେ ଆକ୍ରମଣ କରିଥିଲେ। ଯୁବକଜଣଙ୍କ ହେଲେ, ଦିବ୍ୟଜ୍ୟୋତି ମହାନ୍ତି(୩୫)। ଘର ଧଉଳି ଅଞ୍ଚଳରେ। ଖବର ପାଇ ବଡ଼ଗଡ଼ ଥାନା ପିସିଆର୍‌ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ଜଣାଯାଇଛି। ଅପରପକ୍ଷେ ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଦିବ୍ୟଜ୍ୟୋତି ଭୋଜିଭାତ କରିବାକୁ ମଇଁଷିଆଖାଲ ବସ୍ତିରେ ରହୁଥିବା ତାଙ୍କ ସାଙ୍ଗଙ୍କ ଘରକୁ ଆସିଥିଲେ। ସେ ସେଠାରେ ଶୋଇଥିବା ବେଳେ ରାତି ପ୍ରାୟ ୪ଟାରେ ୩ଜଣ ଦୁର୍ବୃତ୍ତ ତାଙ୍କୁ ଘରୁ ଟେକି ଆଣି ନିସ୍ତୁକ ମାଡ଼ ମାରିବା ସହ ଏକ ଖଣ୍ଡାରେ ତାଙ୍କ ମୁଣ୍ଡ, ମୁହଁ ଓ ଦେହର ବିଭିନ୍ନ ସ୍ଥାନକୁ ହାଣି ଦେଇଥିଲେ। ଗୁରୁତର ଦିବ୍ୟଜ୍ୟୋତି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ବାହାରକୁ ଆସିଥିଲେ। ଏହା ଦେଖି ୩ଜଣ ମୁହଁ ଲୁଚାଇ ଦୌଡ଼ି ପଳାଇଥିଲେ। ବଡ଼ଗଡ଼ ଥାନା ଅଧିକାରୀ ଦିଲ୍ଲୀପ ସ୍ୱାଇଁଙ୍କ କହିବା ଅନୁଯାୟୀ, ଗତକାଲି କଟକ ରୋଡ୍‌ରେ ଏକ ବାର୍‌ରେ ଗଣ୍ଡଗୋଳକୁ କେନ୍ଦ୍ର କରି ଏହି ଘଟଣା ଘଟିଛି।

ସମ୍ବନ୍ଧିତ ଖବର