କାଠୁଆ ଦୁଷ୍କର୍ମ ଘଟଣାର ପୁନରାବୃତ୍ତି : ହରିୟାଣାରେ ମନ୍ଦିର ପରିସରରେ ନାବାଳିକାକୁ ଗଣଦୁଷ୍କର୍ମ

ନାବାଳିକା ଦୁଷ୍କର୍ମକାରୀକୁ ମୃତ୍ୟୁଦଣ୍ଡ ଘୋଷଣା ହେବା ପରେ ପ୍ରଥମ ମାମଲା

ଚଣ୍ଡିଗଡ଼: କଠୁଆ, ସୁରାଟ, ଇନ୍ଦୋର ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ଦେଶବ୍ୟାପି କଡା ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଦେଶରେ ଏହିସବୁ ଦୁଷ୍କର୍ମ ମାମଲାକୁ ନେଇ ତାତି ଥମି ନ ଥିଲା ବେଳେ ହରିୟାଣାର ଯମୁନାନଗରରେ କାଠୁଆ ଦୁଷ୍କର୍ମ ଘଟଣା ଭଳି ଆଉ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଘରଠାରୁ   ମାତ୍ର ୫୦ପାଦ ଦୂରରେ ଥିବା ଏକ ମନ୍ଦିର ପାଖରେ ୧୩ ବର୍ଷୀୟ ନାବାଳିକାକୁ ଚାରିଜଣ ଯୁବକ ଗଣଦୁଷ୍କର୍ମ କରିଥିଲେ। ଏତିକିରେ ସେମାନଙ୍କ ମନ ବୁଝି ନଥିଲା ଯେ ପୀଡିତାର ମୁଣ୍ଡକୁ କାନ୍ଥରେ ବାଡେଇ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ପୁଲିସ ଦୁଷ୍କର୍ମକାରୀଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିବା ପାଇଁ ଅନୁସନ୍ଧାନ ଚଳାଇଛି। ଗମ୍ଭୀର ଅବସ୍ଥାରେ ପୀଡିତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ପୀଡିତା ମୁଣ୍ଡରେ ଗମ୍ଭୀର ଆଘାତ ମଧ୍ୟ ଲାଗିଛି। ପୀଡିତା ନାବାଳିକା ହୋଇଥିବାରୁ ପୋକ୍‌ସୋ ଆକ୍ଟରେ ଦୁଷ୍କର୍ମକାରୀ ବିରୋଧରେ ମାମଲା ରୁଜୁ ମଧ୍ୟ ହୋଇଛି।

ଏହି ଗଣଦୁଷ୍କର୍ମ ଘଟଣା ଯମୁନାନଗରର ଜେଠଲାନା କସବେରେ ଘଟିଛି। ଅଭିଯୋଗ ମୁତାବକ, ପୀଡିତା ତାର ଭାଇ, ଭଉଣୀ ସହିତ ଘରେ ଶୋଇଥିଲା। ତାର ମାଆବାପା କୌଣସି କାମରେ ବାହାରକୁ ଯାଇଥିଲେ। ଏହାର ଫାଇଦା ଉଠାଇବାକୁ ଯାଇ ଦୁଷ୍କର୍ମକାରୀ ଘରେ ପଶି ନାବାଳିକାକୁ ଜୋରଜବରଦସ୍ତି ଧର୍ମଶାଳାକୁ ନେଇ ଯାଇଥିଲେ। ଦୁଷ୍କର୍ମ କରିବା ପରେ ଦୁଷ୍କର୍ମକାରୀ ପୀଡିତାର ମୁଣ୍ଡକୁ କାନ୍ଥରେ ପିଟିପିଟି ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଫଳରେ ନାବାଳିକା ଅଚେତ ହୋଇ ପଡ଼ିଥିଲା। ପୀଡିତାକୁ ଅଚେତ ଅବସ୍ଥାରେ ଦେଖି ଦୁଷ୍କର୍ମକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଚେତା ଆସିବା ପରେ ପୀଡିତା ବହୁ କଷ୍ଟରେ ଘରେ ପହଞ୍ଚି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲା। ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ ଦୁଷ୍କର୍ମକାରୀଙ୍କ ପରିଚୟ ପାଇବା ପରେ ସେମାନଙ୍କୁ ଗିରଫ ପାଇଁ ଅନୁସନ୍ଧାନ ଚଳାଇଛି। ଖୁବ୍‌ ଶ୍ରୀଘ୍ର ଦୁଷ୍କର୍ମକାରୀକୁ ଗିରଫ କରିବ ବୋଲି ପୁଲିସ ସୂଚନା ଦେଇଛି।

ଉଲ୍ଲେଖଯୋଗ୍ୟ, ତେବେ ଗତ ଶନିବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ କ୍ୟାବିନେଟ ବୈଠକରେ ୧୨ବର୍ଷରୁ କମ୍‌ ନାବାଳିକା ଦୁଷ୍କର୍ମକାରୀକୁ ଫାଶୀ ଦଣ୍ଡ ମିଳିବ ବୋଲି ନିଷ୍ପତ୍ତି ନେଇଛନ୍ତି। କାଠୁଆ, ସୁରାଟ, ଇନ୍ଦୋର, ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ଦେଶବ୍ୟାପି କଡା ପ୍ରତିକ୍ରିୟା ପ୍ରକାଶ ପାଇବା ଥିଲା। ତେବେ ସରକାର ଏହାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହାପରେ ସରକାର ପୋକ୍ସୋ ଓ ଶିଶୁ ଯୌନଶୋଷଣ ନିରାକରଣ ଆଇନରେ ସଂଶୋଧନ ପାଇଁ ଆଧ୍ୟାଦେଶ ଜାରି କରିଛନ୍ତି। ସରକାରଙ୍କ ଦ୍ୱାରା ଅଧ୍ୟାଦେଶ ଜାରି ହେବା ପରେ ଉତ୍ତରପ୍ରଦେଶର ଭିନ୍ନ ଭିନ୍ନ ଜିଲ୍ଲାରେ ୪ଜଣ ନାବାଳିକାଙ୍କ ସହିତ ଦୁଷ୍କର୍ମ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର