ଦୁଷ୍କର୍ମ ପରେ ନାବାଳିକାକୁ ହତ୍ୟା କରି ଆଖି ତାଡ଼ି ନେବା ମାମଲାରେ ସାବତ ମା’ ସହ ଅନ୍ୟ ୫ ଜଣ ଗିରଫ

ଶ୍ରୀନଗର: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ବାରମୂଳା ଜିଲ୍ଲାରେ ଜଣେ ନାବାଳିକା ସହ ଦୁଷ୍କର୍ମ କରାଯିବା ପରେ ବିଭତ୍ସ ହତ୍ୟା କରାଯାଇଥିବା କଥା ମଙ୍ଗଳବାର ଦିନ ପୁଲିସ କହିଛି। ଏ ମାମଲାରେ ସମ୍ପୃକ୍ତ ନାବାଳିକାର ସାବତ ମାଆ ଓ ସାବତ ଭାଇଙ୍କ ସମେତ ପାଞ୍ଚଜଣ ଗିରଫ ହୋଇଛନ୍ତି।

ଅଗଷ୍ଟ ୨୩ ତାରିଖ ଠାରୁ ୯ ବର୍ଷୀୟ ବାଳିକାଟି ନିରୁଦ୍ଦେଶ ହୋଇ ଯିବାରୁ ଉରି ବାସିନ୍ଦା ତା’ର ବାପା ଥାନାରେ ଅଭିଯୋଗ କରିଥିବା କଥା ବାରମୂଳା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଇମ୍‌ତିଆଜ୍‌ ହୁସେନ୍‌ ମିର୍‌ କହିଛନ୍ତି। ରବିବାର ଦିନ ତା’ର ଗଳିତ ଶବ ନିକଟବର୍ତ୍ତୀ ବଣୁଆ ଅଞ୍ଚଳରୁ ମିଳିଥିଲା। ଏହା ଗୋଟାଏ ହତ୍ୟାକାଣ୍ଡ ପରି ଜଣାପଡୁଥିବା କଥା ସେ କହିଛନ୍ତି।

ମୀର୍‌ ଆହୁରି କହିଛନ୍ତି, ହତ୍ୟାକାଣ୍ଡର ତଦନ୍ତ ନିମନ୍ତେ ଉରି ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (ସିଟ୍‌) ଗଠନ କରାଯାଇଥିଲା। ସନ୍ଦିଗ୍ଧମାନଙ୍କୁ ସିଟ୍‌ ପଚରା ଉଚୁରା କରିବାରୁ ଝିଅର ସାବତ ମାଆ ବଖାଣି ଥିଲେ ୯ ବର୍ଷୀୟ ବାଳିକା ସହ କରାଯାଇଥିବା ଦୁଷ୍କର୍ମ ଓ ହତ୍ୟାକାଣ୍ଡର କଥା।

ସ୍ୱାମୀଙ୍କ ଦ୍ୱିତୀୟ ପତ୍ନୀ ଏବଂ ତା’ର ପିଲାମାନଙ୍କ ଉପରେ ସାବତ ମାଆର ବହୁ ଦିନରୁ ରାଗ ଥିଲା। ଏଣେ ସ୍ୱାମୀ ଦ୍ୱିତୀୟ ପତ୍ନୀ ସହ ଅଧିକାଂଶ ସମୟ କଟାଉଥିଲେ ଓ ଝିଅଟି ଥିଲା ତାଙ୍କର ଅତି ଗେଲବସରର। ସେ ଝିଅକୁ ହଟାଇବାକୁ ସାବତ ମାଆ ଷଡ଼ଯନ୍ତ୍ର ଭିଆଇଲେ। ଘଟଣା ଦିନ ସେ ଧାରୁଆ ଛୁରିଟିଏ ଧରି ଝିଅକୁ ନିକଟସ୍ଥ ବଣୁଆ ଅଞ୍ଚଳକୁ ନେଇଥିଲେ। ଜଘନ୍ୟ କାଣ୍ଡ କରିବାକୁ ନିଜ ବନ୍ଧୁମାନଙ୍କ ସହ ସାବତ ମାଆଙ୍କର ୧୪ ବର୍ଷିୟ ପୁଅ ମଧ୍ୟ ସେଠାକୁ ଯାଇଥିଲା।

ସାବତ ମାଆଙ୍କ ଉପସ୍ଥିତିରେ ଝିଅ ସହ ଗଣଦୁଷ୍କର୍ମ କରାଯାଇଥିଲା। ଜଣକ ପରେ ଜଣେ ନାବାଳିକା ଝିଅ ସହ ଦୁଷ୍କର୍ମ କରିବା ପରେ ସାବତ ମାଆ ତା’ର ତଣ୍ଟି ଚିପି ମାରି ଦେଇଥିଲେ।

ଏଣେ ସାବତ ଭାଇ କୁରାଢ଼ିରେ ଝିଅ ମୁଣ୍ଡକୁ ଚୋଟେ ମାରିଥିଲା। ଆଉ ଜଣେ ଅଭିଯୁକ୍ତ ମୁନିଆ ଛୁରିରେ ତା’ର ଦୁଇ ଆଖି ତାଡ଼ି ନେବା ପରେ ଦେହର ବିଭିନ୍ନ ସ୍ଥାନରେ ଏସିଡ୍‌ ଢାଳି ଦେଇଥିଲା। ଏଥର ସେମାନେ ଶବକୁ ଗୋଟାଏ ବୁଦାରେ ପକାଇ ଦେଇ ତା’ ଉପରେ ପାଇନ୍‌ଗଛର ଡାଳପଲା ଘୋଡ଼ାଇ ଦେଇଥିଲେ।

ଅଭିଯୁକ୍ତମାନେ ବ୍ୟବହାର କରିଥିବା ସମସ୍ତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ସମ୍ବନ୍ଧିତ ଖବର