ପୁଣି କଳା ପଲସର୍‌ ଆତଙ୍କ : ବ୍ୟବସାୟୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟିଲେ

ଧଉଳି : ଭୁବନେଶ୍ୱର – କଟକ ଜାତୀୟ ରାଜପଥର ଧଉଳି ଥାନା ଅଧୀନ ଶିଶୁପାଳଗଡ଼ ଦଶହରା ପଡ଼ିଆ ନିକଟରେ ଆଜି ଅପରାହ୍ଣ ପ୍ରାୟ ୪ଟାରେ ଦୁଇଜଣ ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କୁ କଟୁରିରେ ଆକ୍ରମଣ କରି ୧ ଲକ୍ଷ ୨୧ ହଜାର ଟଙ୍କା ଲୁଟି ନେଇଛନ୍ତି । ଏକ ନମ୍ବର ବିହୀନ ନୂଆ କଳାରଙ୍ଗର ପଲସର୍‌ରେ ଆସି ରାଜପଥରେ ଆତଙ୍କରାଜ କରିଥିବା ଏହି ଦୁର୍ବୃତ୍ତ ଦ୍ୱୟଙ୍କ ଆକ୍ରମଣର ଶିକାର ହୋଇଥିବା ବ୍ୟବସାୟୀ ହେଲେ ଦୀପକ କୁମାର ସାହୁ। ଦୀପକଙ୍କ ସମେତ ସେମାନେ ଟାଟା ଏସ୍‌ ଗାଡ଼ି ଚାଳକ ପ୍ରମୋଦ ବେହେରାଙ୍କୁ (୩୨) ମଧ୍ୟ ନିସ୍ତୁକ ମାଡ଼ ମାରି ଆହତ କରିଛନ୍ତି। ଏଥିସହିତ ଗାଡ଼ କାଚକୁ ଭାଙ୍ଗି ଦେଇଛନ୍ତି।

ଆକ୍ରମଣ ଓ ଲୁଟ୍‌ପାଟ କରିବା ପରେ ଦୁର୍ବୃତ୍ତମାନେ ଦ୍ରୁତବେଗରେ ଭୁବନେଶ୍ୱର ଅଭିମୁଖେ ପଳାଇଥିଲେ। ଖବର ପାଇ ଧଉଳି ଥାନା ଆଇଆଇସି ପ୍ରଭାସ ପାଲ ପିସିଆର ଭ୍ୟାନ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ ହେଁ ଲୁଟେରାଙ୍କ ପତ୍ତା ପାଇ ନ ଥିଲେ।

ପିପିଲି ଥାନା ଅନ୍ତର୍ଗତ କୃଷ୍ଣପୁର ଗ୍ରାମର ଜୟନ୍ତ ସାହୁଙ୍କର ପିପିଲି ହାଟ ଛକରେ ଏକ ବଡ଼ ତେଜରାତି ଦୋକାନ ଅଛି। ଆଜି ଅପରାହ୍ଣ ସାଢ଼େ ୩ଟାରେ ତାଙ୍କ ସାନଭାଇ ଦୀପକ ୧ଲକ୍ଷ ୨୧ ହଜାର ଟଙ୍କା ଧରି ଟାଟା ଏସ୍‌ ଗାଡ଼ିରେ କଟକ ମାଲଗୋଦାମକୁ ତେଜରାତି ସାମଗ୍ରୀ କିଣିବାକୁ ଯାଉଥିଲେ। ହେଲେ ଏକ କଳା ରଙ୍ଗର ପଲସର୍‌ରେ ଦୁଇ ଦୁର୍ବୃତ୍ତ ତାଙ୍କୁ ପିଛା କରି ଶିଶୁପାଳଗଡ଼ ଦଶହରା ପଡ଼ିଆ ନିକଟରେ ଅଟକାଇଥିଲେ। ସେମାନେ କିଛି ବୁଝିବା ପୂର୍ବରୁ ଅତର୍କିତ ଭାବେ ଗାଡ଼ିର ଡୋର ଗ୍ଲାସ୍‌କୁ ଭାଙ୍ଗି କଟୁରି ଦେଖାଇ ଦୁହିଁଙ୍କୁ ଗାଡ଼ି ଭିତରୁ ପଦାକୁ ଟାଣିଆଣି ମାଡ଼ ମାରିଥିଲେ। ଏହାପରେ ଦୀପକଙ୍କ ନିକଟରୁ ଟଙ୍କା ବିଡ଼ା ଛଡ଼ାଇ ନେଇ ଦ୍ରୁତବେଗରେ ଖସି ପଳାଇଥିଲେ।

ସମ୍ବନ୍ଧିତ ଖବର