ମୋବାଇଲ୍‌ ଲୁଟେରା ସହ ୨ ମହିଳା ଗିରଫ

୪ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ୩୨ ମୋବାଇଲ୍‌ ଜବତ

ଜଟଣୀ: ଜଟଣୀ ଖୋର୍ଧାରୋଡ୍‌ ରେଳପଥ ଷ୍ଟେସନ୍‌ ଜିଆର୍‌ପି ଏବଂ ଆର୍‌ପିଏଫ୍‌ର ଏସ୍‌ଟିଏଫ୍‌ ଟିମ୍‌ ମିଳିତ ଚଢ଼ଉ କରି ଜଣେ ଟ୍ରେନ୍‌ ଯାତ୍ରୀଙ୍କ ମୋବାଇଲ୍‌ ଲୁଟେରାକୁ ଗିରଫ କରିଛନ୍ତି। ସେ ପଶ୍ଚିମବଙ୍ଗ ପୁରୁଲିଆର ଦେବରାଜ ସିଂ(୨୦) ବୋଲି ଜଣାଯାଇଛି। ଏଥି ସହ ଚୋରି ମୋବାଇଲ୍‌ ରଖିବା ଅଭିଯୋଗରେ ଦୁଇ ଜଣ ମହିଳା ପ୍ରଭାତୀ ସିଂ(୪୦) ଏବଂ ତାରା ସିଂ(୪୮) ମଧ୍ୟ ଗିରଫ ହୋଇଛନ୍ତି। ସେମାନେ ପୁରୀ ତାଳ ବଣିଆଠାରେ ରହୁଥିବା ସ୍ଥାନର ବାଲିରୁ ୪ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୩୨ଟି ମୋବାଇଲ୍‌ ଫୋନ୍‌ ମଧ୍ୟ ଜବତ କରାଯାଇଛି।

ସୂଚନାନୁସାରେ, ଆଜି ସକାଳେ ଖୋର୍ଧାରୋଡ୍‌ ରେଳଷ୍ଟେସନ୍‌ ପ୍ଲାଟଫର୍ମରେ ଛତ୍ରପୁର ଅଞ୍ଚଳର ୭ଜଣିଆ ତୀର୍ଥ ଯାତ୍ରୀ ପୁରୀ ଯିବାକୁ ଅନୁଗୁଳ ପୁରୀ ପାସେଞ୍ଜର ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ଟ୍ରେନ୍‌ ଆସିବା ବେଳେ ଭିଡ଼ର ସୁଯୋଗ ନେଇ ଲୁଟେରା ଦେବରାଜ ସିଂ ଯାତ୍ରୀ ଭାରତୀ ବେହେରାଙ୍କ ବ୍ୟାଗ୍‌ରୁ ଭ୍ୟାନିଟିକୁ ଲୁଟି ନେଇଥିଲା। ସେଥିରେ ୧୪ହଜାର ଟଙ୍କା, ଟ୍ରେନ୍‌ ଟିକେଟ୍‌ ଓ ଅନ୍ୟାନ୍ୟ କାଗଜପତ୍ର ରହିଥିଲା। ଯାତ୍ରୀମାନେ ଚୋରି ଯାଇଥିବା ନେଇ ପାଟିତୁଣ୍ଡ କରୁଥିବା ଖବର ପାଇ ସାଦା ପୋଷାକରେ ଥିବା ଏସ୍‌ଟିିଏଫ୍‌ ଟିମ୍‌ ପହଞ୍ଚି ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ଲୁଟେରା ଦେବରାଜତୁ ଧରି ଖୋଳତାଡ଼ ପରେ ତା’ ବ୍ୟାଗ୍‌ରୁ ଭ୍ୟାନିଟିକୁ ପାଇଥିଲେ। ଥାନାଧିକାରୀ ସନ୍ତୋଷ ବାହିନୀ ପତି ଉକ୍ତ ଭ୍ୟାନିଟି ଏବଂ ୧୪ହଜାର ଟଙ୍କା ଭାରତୀଙ୍କୁ ଫେରାଇଥିଲେ। ଦେବରାଜକୁ ପଚରାଉଚରା କରିବାରେ ଅନେକ ଲୁଟ୍‌ରେ ସାମିଲ୍‌ ଥିବା ଜଣାପଡ଼ିଥିଲା। ସେଥିରେ ସଂପୃକ୍ତ ଅନ୍ୟମାନଙ୍କୁ ଧରିବା ପାଇଁ ଶ୍ରୀ ବାହିନୀ ପତି ଓ ଏସ୍‌ଟିଏଫ୍‌ ଟିମ୍‌ ଏବଂ ପୁରୀ ଆର୍‌ପିଏଫ୍‌ ମିଳିତ ଭାବେ ସ୍ଥାନୀୟ ପୁଲିସ୍‌ ସହାୟତାରେ ପୁରୀ ତାଳବଣିଆରେ ଚଢ଼ଉ କରିଥିଲେ। ସେଠାରେ ଲୁଟେରାଙ୍କ ଆଡ଼ାରୁ ପ୍ରଭାତୀ ଓ ତାରାଙ୍କୁ ଧରିଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ। ମହିଳା ଦ୍ୱୟଙ୍କୁ ପଚରାଉଚରା କରିବାରେ ଦେବରାଜ ଚୋରି କରି ଆଣିଥିବା ମୋବାଇଲ୍‌ଗୁଡ଼ିକ ସେଠାରେ ବାଲିରେ ପୋତିଥିବା କହିଥିଲେ। ସେଥିରୁ ୩୨ଟି ମୋବାଇଲ୍‌ ମିିଳିଥିଲା। ଗିରଫ ୩ ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିିଳିଛି।

ସମ୍ବନ୍ଧିତ ଖବର