କେଉଁଠି ଈଶ୍ୱର ତ କେଉଁଠି ଦାନବ: ଟ୍ରେନ୍‌ ମଧ୍ୟରେ ଅସଦାଚାରୀ ଯବାନ, ଭୟରେ ଓ୍ଵାସ୍‌ରୁମ୍‌ରେ ଲୁଚିଲେ ଯୁବତୀ

ନୂଆଦିଲ୍ଲୀ: କେବଳ ଏକାନ୍ତ ସ୍ଥାନ ନୁହେଁ ଏବେ ଜନଗହଳୀ ସ୍ଥାନଗୁଡ଼ିକରେ ସୁରକ୍ଷିତ ନୁହଁନ୍ତି ଦେଶର ମହିଳା। ଦିନକୁ ଦିନ ଅଧିକରୁ ଅଧଡ଼ିକର ଲଜ୍ଜାଜନକ ଘଟଣା ଘଟିଚାଲିଛି ଭାରତରେ। ନିକଟରେ ତୁରନ୍ତ ଏକ୍ସପ୍ରେସ୍‌ର ଏକ ମାମଲା ସାମ୍ନାକୁ ଆସିଛି। ସବୁଠାରୁ ଲଜ୍ଜାଜନକ କଥା ହେଉଛି ବିଭିନ୍ନ ସ୍ଥାନରେ ସେନା ଯବାନମାନେ ସାଧାରଣଜନତାଙ୍କୁ ସୁରକ୍ଷା ଦେଇ ଦେଶର ଗର୍ବ ପାଲଟୁଥିବା ବେଳେ ଏଥର କିନ୍ତୁ ସେହିପରି ଜଣେ ପରି ଜଣେ ଯବାନଙ୍କ ହାତରେ ଘଟିଛି ଏପରି ଘୃଣ୍ୟ କାର୍ଯ୍ୟ।

ରିପୋର୍ଟ ଅନୁସାରେ, ଗତ ଶୁକ୍ରବାର ପୁଣେରୁ ଦିଲ୍ଲୀ ଯାଉଥିବା ତୁରନ୍ତ ଏକ୍ସପ୍ରେସ୍‌ରେ ଜଣେ ଯୁବତୀ ଯାତ୍ରା କରୁଥିଲେ।  ଯୁବତୀଙ୍କ ପାଖ ସିଟ୍‌ରେ ବସିଥିବା ସେନା ଯବାନ ସଞ୍ଜୟ କୁମାର ତାଙ୍କ ସହ ଆପତ୍ତିଜନକ କାର୍ଯ୍ୟ କରିଥିଲେ। ପ୍ରଥମଥର ପାଇଁ ପୀଡ଼ିତାଙ୍କୁ ଅନୁଭବ ହୋଇଥିଲା ଯେ ବୋଧ୍‌ହୁଏ ବୁଲବଶତ ସଞ୍ଜୟଙ୍କ ହାତ ତାଙ୍କ ଦେହରେ ସ୍ପର୍ଶ ହୋଇଗଲା। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ସଞ୍ଜୟ କୁମାର ବାରମ୍ବାର ତାଙ୍କୁ ଅଶାଳୀନ ଭାବେ ଛୁଇଁବାରୁ ସେ ଅସହଜ ମନେ କରିଥିଲେ।

ଭୟରେ ଆସି ଯୁବତୀଜଣକ ପାଖରେ ବସିଥିବା ମହିଳାଙ୍କ ସାହାଯ୍ୟ ମାଗିଥିଲେ। ମାତ୍ର କେହି ବି ହେଲେ ତାଙ୍କ ସାହାଯ୍ୟ କରିନଥିଲେ। ଏପରି ଏକ ପିରିସ୍ଥିତିରୁ ବଞ୍ଚିବା ପାଇଁ ପୀଡ଼ିତା ଜଣକ ଟ୍ରେନ୍‌ ଓ୍ଵାସ୍‌ରୁମ୍‌ରେ ଯାଇ ଲୁଚିଗଲେ ଓ ଫୋନ୍‌ ଯୋଗେ ପରିବାର ଲୋକଙ୍କୁ ସାହାଯ୍ୟ ମାଗିଲେ।

ପରିବାର ଲୋକ ଏ ସଂପର୍କରେ ପୁଲିସ୍‌ରେ ଅଭିଯୋଗ ଆଣିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଅଭିଯୋଗ ହେବାର ୨ ଘଣ୍ଟା ପର୍ଯ୍ୟନ୍ତ ପୀଡ଼ିତାଙ୍କ ନିକଟରେ କେହି ହେଲେ ସାହାଯ୍ୟ ପାଇଁ ପହଞ୍ଚି ନଥିଲେ। ତା’ପରେ ଟିଟିଇ ଆସି ଯୁବତୀଙ୍କୁ ଅନ୍ୟ ଏକ କୋଚ୍‌କୁ ପଠାଇ ଦେଇଥିଲେ।

ପରଦିନ ସକାଳୁ ଟ୍ରେନ୍‌ ଯାଇ ନିଜାମୁଦ୍ଦିନ ଷ୍ଟେସନ୍‌ରେ ଲାଗିବା ପରେ ପୀଡ଼ିତା ଏ ସଂପର୍କରେ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ। ପୀଡ଼ିତାଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଅଭିଯୁକ୍ତ ସଞ୍ଜୟ କୁମାରଙ୍କୁ ହେପାଜତରେ ରଖି ପଚରାଉଚରା ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ନିକଟରେ କିନ୍ତୁ ଜଣେ ସେନା ଯବାନ ନିଜ ଜୀବନକୁ ଖାତିର ନକରି ଏକ ଟ୍ରେନ୍‌ ମଧ୍ୟରେ ପଶିଥିବା ଡକାୟତମାନଙ୍କୁ ସାମ୍ନା କରି ସାଧରଣ ଜନତାଙ୍କୁ ସୁରକ୍ଷା ଦେଇ ଚର୍ଚ୍ଚା ପାଲଟିଥିଲେ।

ସମ୍ବନ୍ଧିତ ଖବର