ନକଲି ରେଳ ୱେବ୍‌ସାଇଟ କରି କୋଟି କୋଟି ଲୁଟ୍‌, ମାଷ୍ଟରମାଇଣ୍ଡ ସିବିଆଇ କର୍ମଚାରୀ

ନୂଆଦିଲ୍ଲୀ: ରେଳବାଇ ୱେବସାଇଟ୍‌ ହ୍ୟାକ୍‌ କରି ନିଜେ ତିଆରି କରିଥିବା ଜାଲ୍‌ ୱେବ୍‌ସାଇଟ ମାଧ୍ୟମରେ ରେଳ ଟିକେଟ ବାବଦ ଟଙ୍କା ଲୁଟୁଥିବା ସିବିଆଇର ଜଣେ କର୍ମଚାରୀଙ୍କୁ ଆଜି ଗିରଫ କରାଯାଇଛି। ଗିରଫ ହୋଇଥିବା ଅଜୟ ଗର୍ଗ ସିବିଆଇରେ ସହକାରୀ ସଫ୍‌୍‌ଟେଓ୍ଵର ପ୍ରୋଗ୍ରାମର ଭାବେ କାର୍ଯ୍ୟରତ। ଏହି ମାମଲାରେ ପୋଲିସ୍‌ ଅଜୟଙ୍କ ସହଯୋଗୀ ଅନିଲ ଗୁପ୍ତାଙ୍କ ସମେତ ୧୩ ଜଣଙ୍କୁ ଗିରଫ କରିଛି। ଦୀର୍ଘ ଦିନରୁ ଉତ୍ତରପ୍ରଦେଶର ଜୋନ୍‌ପୁରରେ ରେଳବାଇର ଟିକେଟରେ ଅଧିକ ଟଙ୍କା ନିଆଯାଉଥିବା ଏବଂ ଟିକେଟ କରି ମଧ୍ୟ ଟିକଟ ନକଲି ଥିବା ଅଭିଯୋଗ ହୋଇ ଆସୁଥିଲା। ଏହି ମାମଲା ପୁଲିସ୍‌ ଦ୍ୱାରା ସମାଧାନ ନହେବାରୁ ସିବିଆଇକୁ ଏହାର ତଦନ୍ତ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ଦିଲ୍ଲୀରୁ ଆସିଥିବା ସିବିଆଇ ଅଧିକାରୀଙ୍କ ଯାଞ୍ଚପରେ ଏହି ଘଟଣାର ପ୍ରକୃତ ସତ୍ୟ ପଦାକୁ ଆସିଛି।

ମିଳିଥିବା ସୂଚନା ମୁତାବକ, ଅଜୟ ପୂର୍ବରୁ ରେଳବାଇର ଆଇଆର୍‌ସିଟିସି ବ୍‌ସାଇଟ ୱେବ୍‌ସାଇଟ ପାଇଁ ନିଯୁକ୍ତି ପାଇଥିଲେ। ରେଳବାଇରୁ ଚାକିରି ଛାଡ଼ିବା ପରେ ସେ ୨୦୧୨ରୁ ସିବିଆଇରେ ସହକାରୀ ପ୍ରୋଗ୍ରାମର ଭାବେ କାର୍ଯ୍ୟ କରୁଥିଲେ। ଅଜୟ ଆଇଆର୍‌ସିଟିସି ୱେବ୍‌ସାଇଟ ହ୍ୟାକ୍‌ କରିବାର କୌଶଳ ଜାଣିଯାଇଥିବାରୁ ଏକ ନକଲି ୱେବ୍‌ସାଇଟ ଖୋଲି ଭିନ୍ନ ଭିନ୍ନ ଅଂଚଳର ଗ୍ରାହକଙ୍କୁ ନିଜ ଆଡକୁ ଟାଣବାରେ ସକ୍ଷମ ହେଉଥିଲେ। ଏହି ଜାଲିଆତିରେ ଅନେକ ଟ୍ରାଭେଲ ଏଜେଣ୍ଟ ମଧ୍ୟ ସାମିଲ ଥିଲେ। ଏଥିରୁ ଆଦାୟ ଅର୍ଥକୁ ବିଟ୍‌ କଏନ୍‌ରେ ପରିଣତ କରି ହାଓ୍ଵଲା ଚ୍ୟାନେଲ ମାଧ୍ୟମରେ ଦେଶ ବାହାରକୁ ପଠାଇ ଦିଆଯାଉଥିଲା। ଫଳରେ କୋଟି କୋଟି ଟଙ୍କା ଲୁଟ୍‌ ସତ୍ତ୍ୱେ ଏମାନଙ୍କ ଉପରେ କେହି ସନ୍ଦେହ କରିପାରୁ ନଥିଲେ। ସିବିଆଇ ଆଜି ଦିଲ୍ଲୀ, ମୁମ୍ବାଇ, ଜୋନ୍‌ପୁର ସମେତ ୧୪ଟି ସ୍ଥାନରେ ଚଢାଉ କରି ନଗଦ ୮୯.୪୨ ଲକ୍ଷ ଟଙ୍କା, ୬୪ ଲକ୍ଷ ଟଙ୍କାର ସୁନାଗହଣା,୧୫ଟି ଲାପ୍‌ଟପ୍‌, ୫୨ଟି ମୋବାଇଲ,୧୫ଟି ହାର୍ଡ ଡିସ୍କ, ୨୫ଟି ସିମ୍‌ କାର୍ଡ ଏବଂ ନକଲି ସଫ୍‌୍‌ଟେଓ୍ଵର ଆଦି ଜବତ କରିଛି।

ସମ୍ବନ୍ଧିତ ଖବର