ସମ୍ବାଦିକ ଛତ୍ରପତିଙ୍କୁ ହତ୍ୟା କରିବା ପାଇଁ ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ୍‌ ରାମରହିମ୍‌ ଦେଇଥିଲେ ନିର୍ଦ୍ଦେଶ: ଖଟ୍ଟା ସିଂହ

ନୂଆଦିଲ୍ଲୀ: ଦୁଇଟି ଦୁଷ୍କର୍ମ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଏବେ ୨୦ ବର୍ଷ ପାଇଁ କାରାଦଣ୍ଡ ଭୋଗୁଥିବା ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ୍‌ ରାମରହିମ୍‌ ସିଂହଙ୍କୁ କେନ୍ଦ୍ର କରି ଏବେ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଗୁରମିତ୍‌ ରାମରହିମ୍‌ଙ୍କ ଡ୍ରାଇଭର ଖଟ୍ଟା ସିଂହ ହରିୟାଣା ପଞ୍ଚକୁଲାର ସ୍ୱତନ୍ତ୍ର ସିବିଆଇ ଅଦାଲତରେ ସାକ୍ଷ୍ୟ ଦେଇ କହିଛନ୍ତି ଯେ ସିର୍ସାର ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କୁ ହତ୍ୟା କରିବା ପାଇଁ ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ୍‌ ରାମରହିମ୍‌ ସିଂହ ନିର୍ଦ୍ଦେଶ ଦେଇଥିଲେ ଓ ଏଥିପାଇଁ ଯୋଜନା ମଧ୍ୟ ପ୍ରସ୍ତୁୁତ କରିଥିଲେ।

ସାମ୍ବାଦିକ ଛତ୍ରପତି ନିୟମିତ ଭାବେ ଡେରା ଓ ରାମରହିମ୍‌୍‌ଙ୍କ ବିରୋଧରେ ଖବର ଛାପୁଥିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ଡେରା ମୁଖ୍ୟ ରାମରହିମ୍‌ ତାଙ୍କ ଗୁଣ୍ଡାମାନଙ୍କୁ ଡାକି ସାମ୍ବାଦିକ ଛତ୍ରପତିଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାମରହିମ୍‌ଙ୍କ ଠାରୁ ନିର୍ଦ୍ଦେଶ ପରେ ରାମ୍‌ରହିମ୍‌ଙ୍କ ଗୁଣ୍ଡାମାନେ ଯାଇ ସାମ୍ବାଦିକ ଛତ୍ରପତିଙ୍କୁ ତାଙ୍କ ଘର ସମ୍ମୁଖରେ ଗୁଳି କରି ହତ୍ୟା କରିଥିଲେ ବୋଲି ପଞ୍ଚକୁଲାର ସିବିଆଇ ଅଦାଲତରେ କହିଛନ୍ତି ରାମ୍‌ରହିମ୍‌ଙ୍କ ପୂର୍ବତନ ଡ୍ରାଇଭର ଖଟ୍ଟା ସିଂହ। ସେ ପୂର୍ବରୁ ଏହି ଘଟଣା ସଂପର୍କରେ ଜଣାଇବାକୁ ଚାହୁଁଥିଲେ ମଧ୍ୟ ରାମ୍‌ରହିମ୍‌ଙ୍କ ଆଡ଼ୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଦୃଷ୍ଟିରୁ ସେ ସେତେବେଳେ ଏକଥା କହିବାକୁ ସାହସ ଜୁଟାଇ ପରି ନଥିଲେ ବୋଲି ଖଟ୍ଟା ସିଂହ ଅଦାଲତଙ୍କୁ କହିଛନ୍ତି। ଖଟ୍ଟାଙ୍କ ଏହି ବୟାନ ପରେ ସମ୍ବାଦିକ ଛତ୍ରପତିଙ୍କ ହତ୍ୟା ମାମଲାରେ ଡେରା ସଚ୍ଚାସୌଦା ମୁଖ୍ୟ ଗୁରମିତ୍‌ ରାମରହିମ୍‌ ସିଂହ ଦୋଷୀ ସାବ୍ୟସ୍ତ ହେବା ନିଶ୍ଚିତ ହୋଇପଡ଼ିଛି।

ସମ୍ବନ୍ଧିତ ଖବର