ଦାଦାବଟି ମାମଲାରେ ଦୁର୍ଦାନ୍ତ ଡୋରା ଗିରଫ

ଭୁବନେଶ୍ବର: ଦାଦାବଟି ପାଇଁ ଜଟଣୀ ଅଞ୍ଚଳରେ ଆତଙ୍କରାଜ୍ ଚଳାଇ ଆସିଥିବା ଦୁର୍ଦାନ୍ତ ମନୋଜ ଦଳେଇ ଓରଫ୍ ଡୋରାକୁ ଜଟଣୀ ଥାନା ପୁଲିସ ଗିରଫ କରିଛି। ମଙ୍ଗଳବାର ସେଞ୍ଚୁରିଆନ୍ କଲେଜ ଛକରେ ବ୍ୟବସାୟୀମାନଙ୍କୁ ଧମକଚମକ ଦେଇ ଆତଙ୍କ ଚଳାଇଥିବା ବେଳେ ଜଟଣୀ ପୁଲିସ ତାକୁ ଓ ତା’ର ସହଯୋଗୀ ସୁଶାନ୍ତ ବେହେରାକୁ ଗିରଫ କରିଛି। ତେବେ ପୂର୍ବରୁ ତିନି ତିନି ଥର ପୁଲିସ ଚଢ଼ଉରୁ ବର୍ତ୍ତି ଯାଇଥିବା ଡୋରା ଓ ସୁଶାନ୍ତ ଏଥର ଖସି ପାରିନାହାନ୍ତି। ସେମାନଙ୍କୁ ସଂଗିନ୍‌ ଦଫା ବଳରେ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍ ନାମଞ୍ଜୁର ହେବାରୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି।

ଜଟଣୀ ଥାନା ପୁଲିସ ସୂଚନାନୁସାରେ, ଆଜି ଡୋରା ଓ ସୁଶାନ୍ତ ଜଟଣୀ-କୁସୁମାଟି ରାସ୍ତାରେ ସେଞ୍ଚୁରିଆନ୍ କଲେଜ ଛକରେ ଡେରା ପକାଇ ବ୍ୟବସାୟୀମାନଙ୍କଠାରୁ ଦାଦାବଟି ଆଦାୟ କରୁଥିଲେ। ଖବର ପାଇ ପୁଲିସ ଟିମ୍ ଅତର୍କିତ ଚଢ଼ଉ କରିଥିଲା ଓ ସେମାନଙ୍କୁ କାବୁ କରି ନେଇଥିଲା। ଆଇଆଇସି ବିଶ୍ବରଂଜନ ସାହୁଙ୍କ ସୂଚନାନୁସାରେ, ଅଭିଯୁକ୍ତ ଡୋରାର ଏକ ଗ୍ୟାଙ୍ଗ୍ ରୀତିମତ ଜଟଣୀରେ ବ୍ୟବସାୟୀମାନଙ୍କୁ ଆତଙ୍କିତ କରି ଦାଦାବଟି ଆଦାୟ କରୁଛନ୍ତି। ମାତ୍ର ଭୟରେ କେହି ମୁହଁ ଖୋଲିବାକୁ ପ୍ରସ୍ତୁତ ନୁହନ୍ତି। ଜାନୁଆରି ୧୭ ତାରିଖରେ ଏହି ଛକରୁ ପୁଲିସ ସତୀଶ ସୁବୁଦ୍ଧି, ଆଦିତ୍ୟ ବାରିକ ଓରଫ୍ ଗୁନା, କିଶୋର ମହାପାତ୍ର ଓରଫ ଚଗଲି ଓ ହିରଣ୍ୟ ବେହେରା ଓରଫ୍ ଗୁଡ଼ୁ ଏମିତି ୪ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଥିଲା। ସେହିଭଳି ଗତ ୮ ତାରିଖରେ ଜଟଣୀ ପୁଲିସ ଏହି ଛକରେ ଚଢ଼ଉ କରି ୪ ଜଣଙ୍କୁ ଗିରଫ କରିଥିଲା ଓ ସେମାନଙ୍କଠାରୁ ୯ଟି ଜୀବନ୍ତ ବୋମା ଓ ୨୧ ରାଉଣ୍ଡ ଗୁଳି ଜବତ କରାଯାଇଥିଲା। ଏହି ସବୁ ଗ୍ୟାଙ୍ଗ୍ ପଛରେ ଡୋରା ମାଷ୍ଟରମାଇଣ୍ଡ ବୋଲି ଆଇଆଇସି ଶ୍ରୀ ସାହୁ କହିଛନ୍ତି। ସୂଚନାଯୋଗ୍ୟ ଯେ ଅଭିଯୁକ୍ତ ଡୋରା ନାଁରେ ପୂର୍ବରୁ କମିସନରେଟ୍‌ ପୁଲିସର ବିଭିନ୍ନ ଥାନା (ଜଟଣୀ, ଖଣ୍ଡଗିରି, ଏୟାର୍ଫିଲ୍ଡ)ରେ ୧୭ରୁ ଅଧିକ ସଂଗିନ୍‌ ଆପରାଧିକ ମାମଲା ରହିଛି। ହତ୍ୟାକାଣ୍ଡରୁ ଆରମ୍ଭ କରି ହତ୍ୟା ଉଦ୍ୟମ ଓ ଦାଦାବଟି ଭଳି ମାମଲା ପାଇଁ ଡୋରା କୁଖ୍ୟାତ ବୋଲି ଜଟଣୀ ଥାନା ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର