ଶିଶୁ କନ୍ୟାଙ୍କୁ ପୋଡ଼ି ମାରିଦେବା ଘଟଣା : ମା’ ଗିରଫ

ଭୁବନେଶ୍ୱର : ସାଲିଆସାହି ଶକ୍ତିବିହାରରେ ଶିଶୁକନ୍ୟାକୁ ପୋଡ଼ି ମାରିବା ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତ ମା’କୁ ଗିରଫ କରିଛି। ସେ ହେଲା, ସୁନା ପିଙ୍ଗୁଆ (୩୫)।

ପ୍ରକାଶ ଥାଉ କି, ପାରିବାରକି କଳହକୁ ନେଇ ବୁଧବାର ରାତିରେ ସୁନା ଓ ତାଙ୍କ ସ୍ୱାମୀ ରଘୁନାଥଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯାହାକୁ ନେଇ ସୁନା ମାନସିକ ଭାରସାମ୍ୟ ହରାଇ ବସିଥିଲେ। ରାତି ସାରା ପାଗଳୀଙ୍କ ଭଳି ଆଚରଣ କରିଥିଲେ। ତେବେ ପରିବାର ଲୋକ ବୁଝାସୁଝା ପରେ ସୁନା ସ୍ୱାଭାବିକ ହୋଇଥିଲେ। ହେଲେ ପରଦିନ ସକାଳୁ ପୁଣି ସୁନାଙ୍କ ପାଗଳାମି ଦେଖିବାକୁ ମିଳିଥିଲା। ପରିବାରଲୋକ ଶୋଇଥିବା ବେଳେ ସୁନା କେତେକ କପଡ଼ାକୁ ଏକାଠି କରି ସେଠାରେ ନିଜ ସାତ ମାସର ଶିଶୁକନ୍ୟାକୁ ଶୁଆଇ ନିଆଁ ଲଗାଇ ଦେଇଥିଲେ। ଶିଶୁଟିର ଚିତ୍କାର ଶୁଣି ପରିବାରଲୋକ ସେଠାକୁ ଧାଇଁ ଅସିଥିଲେ। ଝିଅ ଜଳୁଥିବା ଦେଖି ସ୍ୱାମୀ ରଘୁନାଥ ଚକିତ ହୋଇଯାଇଥିଲେ। ନିଆଁରୁ ଉଦ୍ଧାର କରି ଝିଅକୁ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଇଥିଲେ। କିନ୍ତୁ ଅବସ୍ଥା ସଂକଟାପନ୍ନ ହେବାରୁ ତାକୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ଶିଶୁଟିର ମୁତ୍ୟୃ ହୋଇଯାଇଥିଲା। ଏନେଇ ରଘୁନାଥ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଆଜି ସୁନାକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର