ବିଜୁଳି ବିଲ୍‌ ପୈଠ ଲାଗି ଟଙ୍କା ଅଭାବ ହେବାରୁ ୨ ଝିଅଙ୍କୁ ଦେହ ବ୍ୟବସାୟର ଅନ୍ଧଗଳିକୁ ଠେଲି ଦେଲା ମାଆ

ମୁମ୍ବାଇ: ଦେଶର ସବୁଠାରୁ ଚକମକ ସହର ମୁମ୍ବାଇରେ ଦେଖିବାକୁ ମିଳିଛି ଏକ ଅସହାୟତାର ଚିତ୍ର। ଜଣେ ମାଆ ଘରର ବିଜୁଳି ବିଲ୍‌ ପୈଠ କରାଇବା ପାଇଁ ନିଜର ୨ ଝିଅଙ୍କୁ ଦେହ ବ୍ୟବସାୟ କରିବା ପାଇଁ ବାଧ୍ୟ କରିପକାଇଥିବା ଖବର ଏବେ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସେମାନଙ୍କ ମଧ୍ୟରେ ଜଣେ ନାବାଳିକା ଥିବା ମଧ୍ୟ ଜାଣିବାକୁ ମିଳିଛି।

ଅନେକ ଦିନର ବିଲ୍‌ ମିଶି ସମୁଦାୟ ୫୦,୦୦୦ ଟଙ୍କା ବାକି ହୋଇଥିଲା। ଏସ୍‌ଆର୍‌ଏ ବିଲଡିଂରେ ରହୁଥିବା ଏହି ମହିଳା ଜଣକ ନିଜର ବାକି ଟଙ୍କା ସୁଝିବା ପାଇଁ ଅନ୍ୟ କୌଣସି ଉପାୟ ନପାଇ ନିଜର ଜନ୍ମକଲା ୨ ଝିଅଙ୍କୁ ଦେହ ବ୍ୟବସାୟରେ ଲଗାଇଥିବା ଜାଣିବାକୁ ମିଳିଛି। ବିଶେଷ ସୂତ୍ରରୁ ଖବର ପାଇବା ପରେ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ୍‌ର ହସ୍ତଗତ ହୋଇଥିବା ସୂଚନା ମୁତାବକ ମହିଳା ଜଣକ ବାନ୍ଦ୍ରା ଅଞ୍ଚଳରେ ନିଜ ଝିଅଙ୍କ ଦ୍ୱାରା ଏହି ବ୍ୟାପାର କରୁଥିଲା।

ଘଟଣାର ସତ୍ୟସତ୍ୟ ଜାଣିବା ପାଇଁ ପୁଲିସ୍‌ ଏକ ୧୧ ଜଣିଆ ଦଳ ଗଠନ କରିଥିଲା। ପୁଲିସ୍‌ ଟିମ୍‌ର ଜଣେ ସଦସ୍ୟ ଗ୍ରାହକ ରୂପରେ ବିବାଦୀୟ ଅଞ୍ଚଳରେ ପହଞ୍ଚିଥିଲେ। ସେ ଯାଇ ତାଙ୍କୁ ୪ ଜଣ ଯୁବତୀ ଦରକାର ବୋଲି କହି ବରାଦ କରିଥିଲେ। ମହିଳା ଜଣକ ୪ ଜଣ ଝିଅଙ୍କ ବଦଳରେ ୫୦ ହଜାର ଟଙ୍କା ଦାବି କରିଥିଲେ। ତା’ପରେ ୪୦ ହଜାର ଟଙ୍କାର ଡିଲ୍‌ ଫାଇନାଲ୍‌ ହୋଇଥିଲା। ମହିଳା ତା’ପରେ ଉକ୍ତ ଗ୍ରାହକ ରୂପି ପୁଲିସଙ୍କୁ ଏକ ଠିକଣା ଦେଇଥିଲା। ଏପଟେ ପୁଲିସ୍‌ ଦଳର ଅନ୍ୟ ସଦସ୍ୟମାନେ ଆଗରୁ ଉକ୍ତ ସ୍ଥାନରେ ସାଧାରଣ ପୋଷାକ ପରିଧାନ କରି ଉପସ୍ଥିତ ଥିଲେ। ମହିଳା ଜଣକ ଟଙ୍କା ନେଉଥିବା ସମୟରେ ପୁଲିସ୍‌ ହାତରେ ଧରା ପଡ଼ିଥିଲା। ଅଧିକ ପଚରାଉଚରା କରିବାକୁ ଜାଣିବାକୁ ମିଳିଛି ଯେ ସେମାନଙ୍କ ମଧ୍ୟରୁ ୨ ଜଣ ମହିଳାଙ୍କ ଝିଅ ଥିଲେ। ସେମାନଙ୍କ ବ୍ୟତୀତ ଏହି ଧନ୍ଦାରେ ଅନ୍ୟ ୧୫ ଯୁବତୀ ମଧ୍ୟ ସାମିଲ୍‌ ଥିଲେ।

ସମ୍ବନ୍ଧିତ ଖବର