ମା’ ସାଜିଲା ହତ୍ୟାକାରୀ : ଭୋକରେ କ୍ଷୀର ପାଇଁ କାନ୍ଦୁ ଥିବା ବର୍ଷକର ଝିଅର ଗଳାକୁ କାଟିଦେଲା

ଧର୍‌ : କଥାରେ ଅଛି ମା’ର ମମତା ଏବଂ ଆଶୀର୍ବାଦ ଯଦି ତା’ ପିଲାମାନଙ୍କ ଉପରେ ଥାଏ ତେବେ ସେମାନଙ୍କ ଉପରକୁ କୌଣସି ବିପଦ ଆସେ ନାହିଁ । କିନ୍ତୁ ଯେତେବେଳେ ମା ହିଁ ଶତ୍ରୁ ପାଲଟି ଯାଏ ତେବେ କିଏ ସାହାରା ଦେବ? ଏ ଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶରେ । ରାଗକୁ ନିୟନ୍ତ୍ରଣ କରି ନ ପାରି ଭୋକରେ କ୍ଷୀର ପିଇବା ପାଇଁ କାନ୍ଦୁଥିବା ନିଜର ବର୍ଷକର ଝିଅକୁ ଜୀବନରୁ ମାରି ଦେଇଛି ମା’ । ଏହି ଘଟଣା ସାମ୍ନାକୁ ଆସିବା ପରେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ଧର୍‌ରେ ଅନିତା ତାଙ୍କ ସ୍ୱାମୀ ଏବଂ ତାଙ୍କ ଝିଅ ସାଥୀ ହୋଇ ରହୁଥିଲେ । ଗୁରୁବାର ଅନିତାଙ୍କ ସ୍ୱାମୀ ଘରେ ନ ଥିବା ବେଳେ ଅନିତା ଏବଂ ତାଙ୍କ ଝିଅ ଘରେ ରହିଥିଲେ । ଭୋକ ହେବାରୁ ଅନିତାଙ୍କର ବର୍ଷକର ଝିଅ କାନ୍ଦିବାକୁ ଲାଗିଥିଲା । ଯେତେ ଚୁପ୍‌ କରାଇବାକୁ ଚେଷ୍ଟା କରି ମଧ୍ୟ ଅନିତା ତାଙ୍କ ଝିଅଙ୍କୁ ଚୁପ୍‌ କରାଇ ପାରି ନ ଥିଲେ । ବାରମ୍ବାର ଚୁପ୍‌ କରାଇବାକୁ ଯାଇ ଅସଫଳ ହେବାରୁ ରାଗରେ ଏକ ଦାରେ ନିଜ ଝିଅର ବେକକୁ କାଟି ଦେଇଥିଲେ ଅନିତା । ଝିଅଟି ମରିଯିବା ପରେ ସେ ତାକୁ ସେଠି ଛାଡ଼ି ନିଜ ସମ୍ପର୍କୀୟଙ୍କ ଘରକୁ ଚାଲି ଯାଇଥିଲେ । ଝିଅ ହଠାତ୍‌ କ’ଣ ପାଇଁ କାନ୍ଦିବା ବନ୍ଦ କଲା ବୋଲି ପଡ଼ୋଶୀ ଆସି ଦେଖିବା ପରେ ଝିଅଟି ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ ।

ଏ ନେଇ ଖବର ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା ପୁଲିସ । ଏହାପରେ ମୃତଦେହକୁ ବ୍ୟବଚ୍ଛଦ ପାଇଁ ପଠାଇ ଦିଆଯାଇଥିବା ବେଳେ ହତ୍ୟା ଅଭିଯୋଗରେ ଦୋଷୀ ମା’କୁ ଗିରଫ କରିଛି ପୁଲିସ ।

ସମ୍ବନ୍ଧିତ ଖବର