ଲାଡେନ୍‌କୁ ପିଟିପିଟି ହତ୍ୟା, ଅଭିଯୁକ୍ତ ଫେରାର୍‌

ଖଣ୍ଡଗିରି : ମଙ୍ଗଳବାର ବିଳମ୍ବିତ ରାତିରେ ଏକ ନିର୍ମାଣାଧୀନ ଘରର ଜଗୁଆଳିକୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରାଯାଇଛି। ଘଟଣାଟି ଜଟଣୀ ଥାନା ଯାଁଳା ଫାଣ୍ଡି ଅନ୍ତର୍ଗତ ମହୁରା ଗହୀର ଭିତରେ ଘଟିଛି। ମୃତକ ହେଲେ ବରମୁଣ୍ଡା ଶବର ସାହିର ସ୍ୱର୍ଗତ ଧର୍ମାନନ୍ଦ ନାଏକଙ୍କ ପୁଅ ଚନ୍ଦନ(୩୫)। ସେ ମହୁରା ଗହୀର ଭିତରେ ଗଢ଼ି ଉଠୁଥିବା ନୂଆ କଲୋନିରେ ଏକ ନିର୍ମାଣାଧୀନ ଘରର ଜଗୁଆଳିଭାବେ କାମ କରୁଥିଲେ। ପୁଲିସ ଶବ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି ଓ ମୁଖ୍ୟ ଅଭିଯୁକ୍ତ ରାକେଶ ଜେନା ଓରଫ୍‌ ରାକୁଙ୍କ ସହ ଅନ୍ୟ ସହଯୋଗୀମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ସୂଚନାନୁସାରେ ମଙ୍ଗଳବାର ରାତିରେ ଏକ ଗଣ୍ଡଗୋଳ ଖବର ପାଇ ତମାଣ୍ଡୋ ଥାନା ପୁଲିସ ଉକ୍ତ ଘର ନିକଟକୁ ଯାଇଥିଲେ। ୧୬ ନମ୍ବର ଜାତୀୟ ରାଜପଥ ରେତଙ୍ଗ ରେଲ୍‌ୱେ ଷ୍ଟେସନ୍‌ ଛକରେ ପାନ ଦୋକାନ କରିଥିବା ରାକୁ ସହ ଚନ୍ଦନର ଗଣ୍ଡଗୋଳ ହୋଇଥିବା ଓ ଚନ୍ଦନ ମାଡ଼ରେ ରାକୁର ମୁଣ୍ଡ ଫାଟି ଯାଇଥିବା ଖବର ପାଇ ତମାଣ୍ଡୋ ଥାନା ପୁଲିସ ଘଟଣାସ୍ଥଳକୁ ଯାଇଥିଲା। ରାକୁ ନିଜେ ତମାଣ୍ଡୋ ଥାନାରେ ଏହି ଖବର ଜଣାଇବା ସହ ଚିକିତ୍ସା ପାଇଁ ହସ୍ପିଟାଲକୁ ଚାଲି ଯାଇଥିଲା। ମାତ୍ର ପୁଲିସ ସେଠାରେ ପହଞ୍ଚିିବାବେଳକୁ ଘର ଭିତରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚନ୍ଦନ ପଡ଼ି ରହିଥିଲେ। ତାଙ୍କୁ ଲୁହା ପାଇପ୍‌ ରଡ୍‌ କିମ୍ବା ଶାବଳରେ ପିଟି ପିଟି ଆହତ କରାଯାଇଥିବା ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ତମାଣ୍ଡୋ ଥାନା ପୁଲିସ ତୁରନ୍ତ ଯାଁଳା ଫାଣ୍ଡିକୁ ଖବର ଦେଇଥିଲେ। ଦୁଇ ଥାନାର ପିସିଆର୍‌ ଚନ୍ଦନକୁ ନେଇ ଭୁବନେଶ୍ୱର ଏମ୍‌ସରେ ଭର୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଚନ୍ଦନର ମୃତ୍ୟୁ ଘଟିବା ପରେ ପୁଲିସ ରାକୁକୁ ଖୋଜିଥିଲା। କିନ୍ତୁ ରାକୁ କେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା, ତାହା ଜଣାପଡ଼ି ନଥିଲା। ପରେ ଜଟଣୀ ଥାନା ପୁଲିସ ତମାଣ୍ଡୋ ଥାନା ନଁପୁଟସ୍ଥିତ ରାକୁର ମାମୁଘରେ, ଏୟାର ଫିଲ୍‌ଡ ଥାନା ବ୍ରହ୍ମକୁଣ୍ଡଳସ୍ଥିତ ନିଜ ଗାଁରେ ଓ ଚନ୍ଦକା ଥାନା ଅନ୍ତର୍ଗତ ପାଇକରାପୁରରେ ଚଢ଼ାଉ କରି ବିଫଳ ହୋଇ ଫେରିଥିଲା। ଆଜି ସକାଳୁ ଏସିପି ଫଗୁଆ ସିଂହ ସାଇଣ୍ଟିଫିକ୍‌ ଟିମ୍‌ ନେଇ ଘଟଣାସ୍ଥଳରେ ଯାଞ୍ଚ କରିଛନ୍ତି।

ପୁଲିସ ସୂଚନାନୂସାରେ ପ୍ରଥମେ ପାନ ଦୋକାନରେ କୌଣସି କାରଣକୁ ନେଇ ରାକୁ ଓ ଚନ୍ଦନ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଚନ୍ଦନ ରାକୁକୁ ମାଡ଼ ମାରି ଆହତ କରିଥିଲେ। ପରେ ରାକୁ ତା’ର ମାମୁଁଘର ଲୋକଙ୍କୁ ଧରି ଚନ୍ଦନ ଉପରେ ଆକ୍ରମଣ କରିଥିଲା। ରାକୁ ସହ ମାମୁଘରର ଲୋକଙ୍କ ସମ୍ପୃକ୍ତି ରହିଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ତେଣୁ ରାକୁ ଗିରଫ ହେବା ପରେ ସବୁ କଥା ସ୍ପଷ୍ଟ ହୋଇଯିବ ବୋଲି ପୁଲିସ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ ମୃତ ଚନ୍ଦନର ବାପା ଧର୍ମାନନ୍ଦ ଗତ ପ୍ରାୟ ୨୦ ଦିନ ତଳେ ମୃତ୍ୟୁବରଣ କରିଥିଲେ। ବାପାଙ୍କ ଶୁଦ୍ଧିକ୍ରିୟା ସାରି ସେ ପୁଣି ନିଜ କାମ ପାଇଁ ମହୁରା ଫେରିଥିଲେ। ଅତ୍ୟଧିକ ନିଶାସେବନ ପାଇଁ ଘର ପରିବାର ସହ ତାଙ୍କର ଭଲ ସମ୍ପର୍କ ନଥିଲା। ତେଣୁ ଅଧିକାଂଶ ସମୟ ସେ ମହୁରା ଅଞ୍ଚଳରେ ରହି କାମଧନ୍ଦା କରୁଥିଲେ। ସାମାନ୍ୟ ପାଗାଳାମୀ ଥିବାରୁ ସେ ନିଜକୁ ଲାଡେନ୍‌ ବୋଲି କହୁଥିଲେ ଓ ଲୋକେ ବି ତାଙ୍କୁ ମଜାରେ ଲାଡେନ୍‌ ଭାବେ ଜାଣିଥିଲେ।

ସମ୍ବନ୍ଧିତ ଖବର