ରାତାରାତି ଟଙ୍କା ହାସଲ ପାଇଁ ପଞ୍ଚ ତାରକା ହୋଟେଲରୁ ମୁମ୍ବାଇ କମ୍ପାନିର ଏମଡିଙ୍କୁ ଅପହରଣ କରି ନେଇଥିଲେ ମହିଳା

ନୂଆଦିଲ୍ଲୀ: ଲୁଟିୟନ୍ସ ଦିଲ୍ଲୀର ଏକ ବିଳାସପୂର୍ଣ୍ଣ ହୋଟେଲରୁ ଅପହରଣ କରି ନେଇଥିବା ମୁମ୍ବାଇର ବ୍ୟବସାୟୀଙ୍କୁ ପୁଲିସ ଲକ୍ଷ୍ମୀନଗରର ଏକ ଘରୁ ସୁରକ୍ଷିତ ଭାବେ ମୁକୁଳାଇଛନ୍ତି। ପାଖାପାଖି ଛଅଘଣ୍ଟା ଉଦ୍ୟମ ପରେ ପୁଲିସ ୬ଜଣ ଅପହରଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅପହରଣକାରୀ ମଧ୍ୟରୁ ୪ଜଣ ମହିଳା ବି ସାମିଲ ଥିବା ଜଣାପଡ଼ିଛି। ଚାଣକ୍ୟପୁରୀ ଅଞ୍ଚଳରେ ହୋଟେଲରୁ ଜଣେ ମହିଳାଙ୍କ ସାହାଯ୍ୟରେ ମୁମ୍ବାଇ ମରିନ ଇଞ୍ଜିନିୟରିଂ କମ୍ପାନିର ୬୪ବର୍ଷୀୟ ମେନେଜିଂ ଡାଇରେକ୍ଟରଙ୍କୁ ଅପହରଣ କରାଯାଇଥିଲା। ଏବଂ ବ୍ୟବସାୟୀଙ୍କୁ ଛାଡ଼ିବା ପାଇଁ ଅପହରଣକାରୀ ୩୦ଲକ୍ଷ ଟଙ୍କା ଦାବି କରିଥିଲେ। ବ୍ୟବସାୟୀଙ୍କୁ ଲକ୍ଷ୍ମୀନଗର ଅଞ୍ଚଳସ୍ଥିତ ଏକ ଘରେ ରଖା ଯାଇଥିଲା ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ଶୁକ୍ରବାର ରାତିରେ ପୁଲିସକୁ କମ୍ପାନିର ସିନିୟର ମନେଜର କଲ କରି କହିଥିଲେ କି ତାଙ୍କ କମ୍ପାନିର ଡାଇରେକ୍ଟର ଦିଲ୍ଲୀରେ ଅପହରଣ ହୋଇ ରହିଛନ୍ତି। ଯାଞ୍ଚରୁ ଜଣାପଡ଼ିଲା କି ବ୍ୟବସାୟୀ ଗୁରୁବାର ରାତିରେ ଫାଇଭ୍‌ ଷ୍ଟାର ହୋଟେଲରେ ଚେକ୍‌-ଇନ୍‌ କରିଥିଲେ। ସିସିଟିଭି ଫୁଟେଜରୁ ଜଣାପଡ଼ିଲା କି ଜଣେ ମହିଳା ଆସିଥିଲେ ଓ ବ୍ୟବସାୟୀଙ୍କୁ ବାହାରକୁ ହୁଣ୍ଡାଇ ଭରନା କାରରେ ନେଇ ଯାଇଥିଲେ।

ପୁଲିସ ସିସିଟିଭ ଫୁଟେଜ ଓ ମୋବାଇଲ ସର୍ଭିଲାନ୍ସ ଜରିଆରେ ବ୍ୟବସାୟୀଙ୍କ ଲୋକେସନ୍‌କୁ ଖୋଜି ବାହାର କରି ଦେଇଥିଲେ। ଏହି ସମୟରେ ଅପହରଣକାରୀ କମ୍ପାନି ଅଧିକାରୀଙ୍କୁ ବାରମ୍ବାର କଲ କରି ଟଙ୍କା ଦେବା ପାଇଁ ଧମକ ଦେଇ ଆସୁଥିଲେ।

୬ଘଣ୍ଟା ପରେ ଲକ୍ଷ୍ମୀନଗରର ଏକ ଘର ବାହାରେ କାର ନଜର ଆସିଥିଲା, ଯେଉଁଥିରେ ବ୍ୟବସାୟୀଙ୍କୁ ଅଣା ଯାଇଥିଲା। କାର ମାଲିକ ବି ଏହି ଅପହରଣ ମାମଲାରେ ସାମିଲ ଥିବା ଯାଞ୍ଚରୁ ଜଣାପଡ଼ିଥିଲା। ସେ କହିଥିଲେ କି ରାତାରାତି ଟଙ୍କା ହାସଲ କରିବା ପାଇଁ ଏଭଳି ଯୋଜନା କରିଥିଲେ। ଏହାପରେ ପୁଲିସ ବ୍ୟବସାୟୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲା। ଏହି ଅପହରଣ ଘଟଣା ନେଇ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର