ଠକାମିର ଶିକାର ହୋଇ ୨୫ଲକ୍ଷ ଟଙ୍କା ହରାଇବା ପରେ କ୍ଷତିପୂରଣ ପାଇଁ ସମାନ ବାଟ ଆପଣାଇଲେ ଯୁବକ, ଲୋକଙ୍କଠାରୁ ଠକି ନେଲେ କୋଟି କୋଟି ଟଙ୍କା
ମୁମ୍ବାଇ: ପ୍ରଥମେ ନିଜେ ଠକାମିର ଶିକାର ହେବା ପରେ ଅନ୍ୟକୁ ଠକି ନିଜର କ୍ଷତିପୂରଣ କରିବାକୁ ଚିନ୍ତା କରିଥିଲେ ଯୁବକ। ଯାହା ପାଇଁ ସେ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକିବା ଆରମ୍ଭ କରିଥିଲେ। ସ୍ବତନ୍ତ୍ର ପୂଜା କରିବା ପରେ ଟଙ୍କା ବର୍ଷା ହେବ ବୋଲି କହି ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ ଅଭିଯୁକ୍ତ। ଅଭିଯୁକ୍ତର ନାଁ ନିଶ୍ବିତକୁମାର ରବିରାଜ ସେଟ୍ଟୀ ବୋଲି ଚିହ୍ନଟ କରାଯାଇଥିବା ବେଳେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ୧.୧୨କୋଟି ଟଙ୍କାର ଠକାମିର ଶିକାର ହେବା ପରେ ପୁଲିସରେ ଅଭିଯୋଗ କରିଥିଲେ ବେଣୁ ପିଲାଇ ନାମକ ଜଣେ ଯୁବକ। ଯାହା ପରେ ନିଶ୍ବିତକୁମାରଙ୍କ କଳା କାରନାମା ପ୍ରଥମ କରି ବାହାରକୁ ଆସିଥିଲା। ସେଟ୍ଟୀ ଜଣେ ବନ୍ଧୁ ଦ୍ବାରା ବେଣୁଙ୍କୁ ଦେଖା ହୋଇଥିଲେ। ଯାହା ପରେ ସେ ବେଣୁଙ୍କଠାରୁ ଟଙ୍କା ହଡ଼ପ କରିବା ପାଇଁ ତାଙ୍କୁ ପୂଜା କରାଇବା ପାଇଁ କହିଥିଲେ। ସେଟ୍ଟୀଙ୍କ କଥା ମାନି ବେଣୁ ଧିରେ ଧିରେ କରି ତାଙ୍କୁ ୧.୧୨କୋଟି ଟଙ୍କା ଦେଇଥିଲେ। ହେଲେ ତାଙ୍କ ଟଙ୍କା ଦ୍ବିଗୁଣ ହୋଇ ନଥିଲା। ଯାହା ପରେ ସେ ପୁଲିସର ଦ୍ବାରସ୍ଥ ହୋଇଥିଲେ।
ଏବେ ସେଟ୍ଟୀକୁ ପୁଲିସ ଗିରଫ କରିଥିବା ବେଳେ ଏଭଳି କରିବା ପଛର କାରଣ ସେ ପୁଲିସକୁ ଜଣାଇଛନ୍ତି। ତାଙ୍କ କହିବା ମୁତାବକ, ୨୦୧୫ରେ ସେ ସମାନ ଭାବରେ ଗୁଜୁରାଟର ଏକ ଗ୍ୟାଙ୍ଗ ଦ୍ବାରା ଠକାମିର ଶିକାର ହୋଇଥିଲେ। ଟଙ୍କା ଦୁଇଗୁଣ କରିବା ପାଇଁ ସ୍ବତନ୍ତ୍ର ପୂଜା କରିବାକୁ ହେବ ବୋଲି କହି ଗୁଜୁରାଟର ସେହି ଗ୍ୟାଙ୍ଗ ତାଙ୍କଠାରୁ ୨୫ଲକ୍ଷ ଟଙ୍କା ନେଇ ଯାଇଥିଲା। ଯାହା ପରେ ସେ ସମାନ ଉପାୟ ଆପଣାଇ ଅନ୍ୟକୁ ଠକିବା ଆରମ୍ଭ କରିଥିଲେ।