ପଞ୍ଚମ ଶ୍ରେଣୀ ଛାତ୍ରୀକୁ ଡଷ୍ଟରରେ ମାଡ଼ ମାରି ଶିକ୍ଷୟିତ୍ରୀ ଗିରଫ

ମୁମ୍ବାଇ: ସ୍କୁଲ୍‌ମାନଙ୍କରେ ବିଭିନ୍ନ କାରଣ ନେଇ ଛାତ୍ରଛାତ୍ରୀମାନଙ୍କୁ ଅଧିକାଂଶ ସମୟରେ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମାଡ଼ ମାରି ପୁଲିସ୍‌ ହାତରେ ଗିରଫ ହେଉଛନ୍ତି। ମାତ୍ର ଦୁଃଖର କଥା, ପିଲାମାନଙ୍କୁ ମାଡ଼ ମାରି ପାଠ ନ ପଢ଼ାଇବା ପାଇଁ ସରକାର କଡ଼ାକଡ଼ି ଭାବେ ନିୟମ ଘୋଷଣା କରିବା ପରେ ମଧ୍ୟ ସମାନ ସମସ୍ୟା ବାରମ୍ବାର ସାମ୍ନାକୁ ଆସୁଛି। ମୁମ୍ବାଇର ଖଣ୍ଡେଶ୍ୱରରେ ଥିବା ନିୟୁ ପାନଭେଲ୍‌ ସ୍କୁଲ୍‌ରେ ଘଟିଯାଇଛି ଏଭଳି ଏକ ଘଟଣା। ଜଣେ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ଡଷ୍ଟର୍‌ରେ ମାଡ଼ମାରିବା ଅଭିଯୋଗରେ ସୋମବାର ପୁଲିସ୍‌ ହାତରେ ଗିରଫ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ନିୟୁ ପାନଭେଲ୍‌ ସ୍କୁଲ୍‌ରେ ପଞ୍ଚମ ଶ୍ରେଣୀରେ ପଢୁଥିବା ଛାତ୍ରୀ ବିଶାଖା(୧୦) ପାଠ କରି ନଥିବାରୁ ସେହି ସ୍କୁଲ୍‌ର ପରିବେଶ ବିଜ୍ଞାନ(ଇଭିଏସ୍‌) ପଢ଼ାଉଥିବା ଶିକ୍ଷୟିତ୍ରୀ ଶନିବାର ତାଙ୍କ ହାତକୁ ଏକ କାଠ ଡଷ୍ଟର୍‌ରେ ପିଟିଥିଲେ। କେବଳ ସେତିକି ନୁହେଁ, ରୋଲ ବାଡ଼ିରେ ମଧ୍ୟ ବିଶାଖାଙ୍କ ହାତକୁ ବାଡ଼େଇ ବାଡ଼େଇ ଶିକ୍ଷୟିତ୍ରୀ ନିହାତି ନିଷ୍ଠୁର ଆଚରଣ ପ୍ରଦର୍ଶନ କରିଥିଲେ। ଫଳରେ ଛାତ୍ରୀ ବିଶାଖାଙ୍କ ହାତରେ କ୍ଷତ ଚିହ୍ନ ହୋଇଯାଇଥିଲା।

ବିଶାଖା ହାତରେ କ୍ଷତ ଚିହ୍ନ ଦେଖିବା ପରେ ତାଙ୍କ ପରିବାର ଲୋକେ ଖୁବ୍‌ ରାଗି ଯାଇଥିଲେ। ରାଗରେ ଆସି ଶନିବାର ଅପରାହ୍ନରେ ଶିକ୍ଷୟିତ୍ରୀ ଅଞ୍ଜଳୀ ଚାଭନ(୩୫)ଙ୍କ ବିରୋଧରେ ଖଣ୍ଡେଶ୍ୱର ଥାନାରେ ଏକ ଅଭିଯୋଗ କରିଥିଲେ। ମାମଲା ରୁଜୁ ହେବା ପରେ ଖଣ୍ଡେଶ୍ୱର ଥାନାର ସିନିୟର୍‌ ଇନ୍‌ସ୍ପେକ୍ଟର ଯୋଗେଶ କହିଥିଲେ ଯେ ଯେହେତୁ ପରଦିନ ରବିବାର ଅଛି ତେଣୁ ସୋମବାର ଦିନ ସ୍କୁଲ୍‌ ଖୋଲିବା ମାତ୍ରେ ହିଁ ଅଞ୍ଜଳୀଙ୍କୁ ଗିରଫ କରାଯିବ।

ସୂଚନାଯୋଗ୍ୟ, ଅଞ୍ଜଳୀଙ୍କ ବିରୋଧରେ ଅନ୍ୟ ଅଭିଭାବକମାନେ ମଧ୍ୟ ବୟାନ ଦେଇଥିଲେ। ସେ ଅଧିକାଂଶ ସମୟରେ ପିଲାଙ୍କ ପ୍ରତି ଏପରି ଆଚରଣ ପ୍ରଦର୍ଶନ କରିଥାନ୍ତି ବୋଲି ଅଭିଯୋଗ ହୋଇଛି। ତେବେ, ପୂର୍ବରୁ ଆଉ ଜଣଙ୍କ ଛାତ୍ରଙ୍କୁ ମଧ୍ୟ ଅଞ୍ଜଳୀ ଏହି ଭାବେ ମାଡ଼ ମାରି କ୍ଷତାକ୍ତ କରିଥିଲେ।

ଏହି ମାମଲାରେ ପ୍ରିନ୍ସିପାଲ୍‌ କୁଇନା ଫ୍ରେନାଣ୍ଡୋ କହିଛନ୍ତି, ‘ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ଆବଶ୍ୟକ ପଡ଼ିଲେ ଅଞ୍ଜଳୀଙ୍କୁ ଚାକିରିରୁ ନିଲମ୍ବିତ କରାଯିବ। ମାତ୍ର ମୋତେ ଲାଗୁନାହିଁ ଶିକ୍ଷୟିତ୍ରୀ ମାଡ଼ ମାରି ଏଭଳି ଭାବେ କ୍ଷତାକ୍ତ କରିଥିବେ। ଯଦି ବି କଲେ, ତେବେ ୧୨.୩୦ରେ ସ୍କୁଲ୍‌ ଛୁଟି ହୋଇଥିବା ବେଳେ ଅଭିଭାବଭ ଅପରାହ୍ନ ୩ଟାରେ କାହିଁକି ଅଭିଯୋଗ କଲେ? ଏମିତିରେ ବି ସ୍କୁଲ୍‌ ଶୁକ୍ଳ ବୃଦ୍ଧି ନେଇ ଗତବର୍ଷରୁ ସ୍କୁଲ୍‌ ଏବଂ ଅଭିଭାବକଙ୍କ ମଧ୍ୟରେ ଏକ ବିବାଦ ଲାଗି ରହିଛ।’

 

ସମ୍ବନ୍ଧିତ ଖବର