ଅଜଣା ବ୍ୟକ୍ତିଙ୍କୁ ସଂପୂର୍ଣ୍ଣ ଆକାଉଣ୍ଟ ତଥ୍ୟ ସହ ୨୮ ଥର ଓଟିପି ସେୟାର୍‌ କରିବା ମହଙ୍ଗା ପଡ଼ିଲା; ମହିଳାଙ୍କ ଅକାଉଣ୍ଟରୁ କଟି ଗଲା ୭ ଲକ୍ଷ ଟଙ୍କା

ମୁମ୍ବାଇ: ଆର୍ଥିକ କାରବାର କ୍ଷେତ୍ରରେ ସାମାନ୍ୟ ଅସଚେତନତା ବିପଦ୍‌ଜନକ ହୋଇପାରେ! ମୁମ୍ବାଇର ଜଣେ ମହିଳାଙ୍କୁ ନିଜର ବୁଦ୍ଧିହୀନତା ମହଙ୍ଗା ପଡ଼ିଛି। ମହିଳାଙ୍କ ଆକାଉଣ୍ଟ୍‌ରୁ ୭ ଲକ୍ଷ ଟଙ୍କା କଟିଯାଇଥିବା ଜାଣିବାକୁ ମିଳିଛି। ମହିଳା ଜଣକ ପୁଲିସ୍‌କୁ ଜଣାଇଛନ୍ତି କି ଅନ୍‌ଲାଇନ୍‌ ବ୍ୟାକିଂର ବ୍ୟବହାର ପ୍ରକ୍ରିୟା ଜଟିଳ ହୋଇଥିବାରୁ ଏପରି ସମସ୍ୟା ଉପୁଜିଛି।

ମହିଳା ଜଣକ ହେଉଛନ୍ତି ତସ୍‌ନିମ୍‌ ମୁଦାକର୍‌ ମୋଦକ। ମୋଦକଙ୍କର ଏକ ରାଷ୍ଟ୍ରାୟତ ବ୍ୟାଙ୍କ୍‌ରେ ଆକାଉଣ୍ଟ୍‌ ରହିଛି। ଉକ୍ତ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ତାଙ୍କର ୭.୨୦ ଲକ୍ଷ ଟଙ୍କା ରହିଥିଲା। ମେ ୧୭ ତାରିଖ ଦିନ ସେ ଜଣେ ବ୍ୟାଙ୍କ୍‌ରଙ୍କଠାରୁ କଲ୍‌ ଆସିଲା। ବ୍ୟାଙ୍କର୍‌ ଜଣଙ୍କ ମହିଳାଙ୍କୁ କହିଲେ ଯେ ଯାନ୍ତ୍ରିକ ସମସ୍ୟା ହେତୁ ତାଙ୍କର ଡେବିଟ୍‌ କାର୍ଡକୁ ବ୍ଲକ୍‌ କରି ଦିଆଯାଇଛି। ସେ ତାହାକୁ ଅନ୍‌ବ୍ଲକ୍‌ କରିବା ପାଇଁ ମହିଳାଙ୍କୁ ନିଜ କାର୍ଡ ନମ୍ବର କହିବାକୁ କହିଲେ।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମୋଦକ ଫୋନ୍‌ ଦ୍ୱାରା ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ସେଥିରେ ୧୬ ସଂଖ୍ୟକ କାର୍ଡ ନମ୍ବର ବି ରହିଥିଲା। କାର୍ଡରେ ଥିବା ନିଜ ନାମ ସହି ସିଭିଭି ଆଦି ସମସ୍ତ ତଥ୍ୟ ମହିଳା ପ୍ରଦାନ କରିଥିଲେ। ମନେ ରଖନ୍ତୁ ‘ସିଭିଭି’ କାହା ବି ସହ ସେୟାର୍‌ କରିବା ଅନୁଚିତ।

ସେହି ଗୋଟାଏ ସପ୍ତାହ ମଧ୍ୟରେ ମହିଳାଙ୍କୁ ଉକ୍ତ ବ୍ୟକ୍ତି ଜଣକ ୩ଟି  ଭିନ୍ନ ସିମ୍‌ କାର୍ଡ ବ୍ୟବହାର କରି ୨୦ ଥର ଓଟିପି ପଚାରିଥିଲେ ଓ ମହିଳା ଜଣକ କହି ବି ଦେଇଥିଲେ। ଜାଣିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ଏହା ସାହାଯ୍ୟ.ରେ ମୁମ୍ବାଇ, ନୋଇଡ଼ା, ଗୁରୁଗ୍ରାମ, କୋଲକାତା ଏବଂ ବେଙ୍ଗାଲୁରୁରୁ ମହିଳାଙ୍କ ଅାକାଉଣ୍ଟରୁ ଟଙ୍କା ଉଠାଇ ନେଇଛନ୍ତି। ମହିଳାଙ୍କ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର