ଭଦୋଦରାରେ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା

ର‍୍ୟାନ୍‌ ସ୍କୁଲ୍‌ ହତ୍ୟାକାଣ୍ଡର ପୁନରାବୃତ୍ତି

ଭଦୋଦରା: ଗତବର୍ଷ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ର‍୍ୟାନ୍‌ ସ୍କୁଲ୍‌ ଛାତ୍ର ହତ୍ୟାକାଣ୍ଡର ପୁନରାବୃତ୍ତି ଘଟିଛି। ଆଜି ଗୁଜରାଟ୍‌ର ଭଦୋଦରା ସ୍ଥିତ ଏକ ସ୍କୁଲ୍‌ରେ ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଆଦିବାସୀ ଛାତ୍ରଙ୍କୁ ସ୍କୁଲ୍‌ ଶୌଚାଳୟରେ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି। ଆଜି ଅପରାହ୍ନରେ ୧୪ ବର୍ଷୀୟ ଛାତ୍ର ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖି ସ୍କୁଲ୍‌ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେଇଥିଲେ। ହସ୍ପିଟାଲ୍‌ ନେବାପାଇଁ ଆମ୍ବୁଲାନ୍ସ ଆସି ପହଞ୍ଚିବା ପୂର୍ବରୁ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି ଯେ ଛାତ୍ରଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି ଏବଂ ଛୁରା ମାଡ଼ କରି ତାଙ୍କୁ ହତ୍ୟା କରାଯାଇଛି। ପୁଲିସ ମଧ୍ୟ ଘଟଣାସ୍ଥଳରୁ ଏକ ଛୁରି ଉଦ୍ଧାର କରିଛି। ସ୍କୁଲ୍‌ ନିକଟସ୍ଥ ଏକ ମନ୍ଦିର ପରିସରରୁ ମଧ୍ୟ ପୁଲିସ ଏକ ବ୍ୟାଗ୍‌ ଉଦ୍ଧାର କରିଛି ଯେଉଁଥିରେ ୭ଟି ବିଭିନ୍ନ ଧାରୁଆ ଅସ୍ତ୍ର ରହିଥିବା ଜଣାଯାଇଛି। ବ୍ୟାଗ୍‌ରେ ଏକ ଲଙ୍କାଗୁଣ୍ଡ ପ୍ୟାକେଟ୍‌ ମଧ୍ୟ ଥିବା ପୁଲିସ କହିଛି। ଉଦ୍ଧାର ହୋଇଥିବା ଏହି ବ୍ୟାଗ୍‌ଟି ସେହି ସମାନ ସ୍କୁଲ୍‌ରେ ଅଧ୍ୟୟନ କରୁଥିବା ଜଣେ ଦଶମ ଶ୍ରେଶୀ ଛାତ୍ରଙ୍କର ହୋଇଥିବାରୁ ସେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ବୋଲି ପୁଲିସ ସନ୍ଦେହ କରୁଛି। ତଦନ୍ତ ପାଇଁ ସ୍କୁଲ୍‌ର ସିସିଟିଭି ରେକର୍ଡିଂକୁ ପୁଲିସ ତୁରନ୍ତ ଜବତ କରିଛି। ଏହି ହତ୍ୟାକାଣ୍ଡରେ କାହାର ହାତ ଅଛି ତାହା ଖୁବ୍‌ଶୀଘ୍ର ଜଣାପଡ଼ିବ ବୋଲି ତଦନ୍ତକାରୀ ପୁଲିସ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ସନ୍ଦେହ ଘେରରେ ଥିବା ଦଶମ ଶ୍ରେଣୀ ଛାତ୍ର ଫେରାର୍‌ ଥିବାବେଳେ ପୁଲିସ ଘଟଣାର ତଦନ୍ତ ପାଇଁ ୩ଟି ଟିମ୍‌ ଗଠନ କରିଛି। ତେବେ ଏହା ଏକ ପୂର୍ବ ପ୍ରାୟୋଜିତ ହତ୍ୟାକାଣ୍ଡ ଏବଂ ଏଥିରେ ଜଣକରୁ ଅଧିକ ଛାତ୍ରଙ୍କ ସମ୍ପୃକ୍ତି ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି। ହତ୍ୟାର ଶିକାର ହୋଇଥିବା ନବମ ଶ୍ରେଣୀ ଛାତ୍ର ଗତ କିଛିଦିନ ହେବ ନୂଆ କରି ସ୍କୁଲ୍‌ରେ ନାମ ଲେଖାଇଥିଲେ। ଦଶମ ଶ୍ରେଣୀ ଛାତ୍ରମାନଙ୍କ ସହ ତାଙ୍କର କୌଣସି କାରଣ ଯୋଗୁଁ ପାଟିତୁଣ୍ଡ ହୋଇଥିଲା। ତେଣୁ ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସ ସନ୍ଦେହ କରୁଛି। ଉଲ୍ଲେଖଯୋଗ୍ୟ ଗତ ବର୍ଷ ଗୁରୁଗ୍ରାମ୍‌ ସ୍ଥିତ ର‍୍ୟାନ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ର ଜଣେ ୭ ବର୍ଷୀୟ ଛାତ୍ର ପ୍ରଦ୍ୟୁମ୍ନ ଠାକୁରଙ୍କୁ ସ୍କୁଲ୍‌ ଟଏଲେଟରେ ଗଳାକାଟି ହତ୍ୟା କରାଯାଇଥିଲା।

ସମ୍ବନ୍ଧିତ ଖବର