ମେରାଇନ୍‌ ଇଂଜିନିୟରଙ୍କୁ ତଣ୍ଟି ଚିପି ହତ୍ୟା

ତ୍ରିକୋଣୀୟ ପ୍ରେମର କରୁଣ ପରିଣତି

ଭୁବନେଶ୍ୱର: ଦଶ ବର୍ଷର ପ୍ରେମ ସମ୍ପର୍କ।  ବିବାହ କରିବେ ବୋଲି ଉଭୟ ନିଷ୍ପତ୍ତି ବି ନେଇଥିଲେ। କିନ୍ତୁ ପ୍ରେମିକ ୮ ମାସ ପାଇଁ ବାହାରକୁ ଚାଲିଯିବା ପରେ ପ୍ରେମିକା ପଡ଼ି ଯାଇଥିଲା ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ। ୮ ମାସ  ପରେ ଫେରି ପୂର୍ବତନ ପ୍ରେମିକ ଦେଖିବାକୁ ପାଇଥିଲେ ତାଙ୍କ ପ୍ରେମିକା ଅନ୍ୟ ଜଣେ ଯୁବକଙ୍କ  ପ୍ରେମରେ ପଡ଼ିଛନ୍ତି। ଏହାକୁ ବିରୋଧ କରିବାରୁ ଦୁହେଁ ମିଶି ଗାମୁଛାରେ ଗଳାଚିପି ପୂର୍ବତନ ପ୍ରେମିକଙ୍କୁ ହତ୍ୟା କଲେ। ଏଭଳି ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ଅଧୀନ ବୁଦ୍ଧନଗର ପ୍ଲଟ୍‌ ନମ୍ବର ୮୨ରେ। ମୃତ ଯୁବକ ଜଣକ ହେଲେ ବୈଜୟନ୍ତ ପ୍ରସାଦ ମହାନ୍ତି ଓରଫ୍‌ ବିଟୁ। ଘର ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଧୀନ ଜଗନ୍ନାଥପୁରରେ। ସେ ଜଣେ ମେରାଇନ୍‌ ଇଂଜିନିୟର। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ବିଟୁଙ୍କୁ ହତ୍ୟା କରିଥିବା ତାଙ୍କ ପୂର୍ବତନ ପ୍ରେମିକ ଓ ତାଙ୍କ ପୁରୁଷ ବନ୍ଧୁ ଦୁହେଁ ଥାନାରେ ଆତ୍ମସମର୍ପଣ କରିବା ପରେ ପୁଲିସ ଉଭୟଙ୍କୁ ଗିରଫ କରିଛି। ସେମାନେ ହେଲେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଧୀନ ଜଗନ୍ନାଥପୁରର ସୁଶ୍ରୀ ସସ୍ମିତା ମହାନ୍ତି ଓ  ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ବୀରରାମଚନ୍ଦ୍ରପୁର  କୁମାର ଚନ୍ଦନ ପତି।  ଆଜି ଦୁଇ ଜଣଙ୍କୁ ହତ୍ୟା ଅଭିଯୋଗରେ ପୁଲିସ କୋର୍ଟ ଚାଲାଣ କରିଛି।

ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଦୟାନିଧି ନାୟକଙ୍କଠାରୁ ମିଳିଥିବା ସୂଚନା ମୁତାବକ, ମୃତ ବିଟୁ ଓ ସୁଶ୍ରୀ ଗୋଟିଏ ଗାଁର। ଉଭୟ ସମ୍ପର୍କରେ ଭାଇଭଉଣୀ ହେବେ। କିନ୍ତୁ ଦୁହେଁ ୧୦ ବର୍ଷ ହେବ ପ୍ରେମ ସମ୍ପର୍କରେ ଥିଲେ। କିନ୍ତୁ ୮ ମାସ ତଳେ ମୃତ ବିଟୁ ଚାକିରି କାମରେ ରାଜ୍ୟ ବାହାରକୁ ପଳାଇ ଯାଇଥିଲେ। ତିନି ଦିନ ତଳେ ସେ ଭୁବନେଶ୍ୱର ଫେରି ଦେଖିବାକୁ ପାଇଥିଲେ, ସେ ଯାହାକୁ ଅତ୍ୟନ୍ତ ଭଲ ପାଉଥିଲେ ସେ ଏବେ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ। ବୁଧବାର ଅପରାହ୍ଣ ପ୍ରାୟ ସାଢ଼େ ୩ଟାବେଳେ ସୁଶ୍ରୀ କରିଥିବା ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ବିଲିଅନ୍‌ ଡ୍ରିମ୍‌ ଏଣ୍ଟରଟେନ୍‌ମେଣ୍ଟ କାର୍ଯ୍ୟାଳୟକୁ ଯାଇଥିଲେ।  ତ୍ରିକୋଣୀୟ ପ୍ରେମକୁ ନେଇ ସେଠାରେ ବିଟୁ ଓ ସୁଶ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଥିଲା। କିଛି ସମୟ ପରେ ସୁଶ୍ରୀଙ୍କ  ନୂଆ ପ୍ରେମିକ ଚନ୍ଦନ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହା ପରେ ଦୁହେଁ ମିଶି ବିଟୁଙ୍କୁ ନିର୍ଘାତ ମାଡ଼ ମାରିବା ସହିତ ଏକ ଗାମୁଛାରେ ତାଙ୍କ ବେକକୁ ଗୁଡ଼ାଇ ଜୋର୍‌ରେ ଚିପି ଧରିଥିଲେ।

ରାତି ପ୍ରାୟ ୧୦ଟାବେଳେ ସୁଶ୍ରୀ ଲକ୍ଷ୍ମୀସାଗର ଥାନାକୁ ଯାଇ ଥିଲେ। ଆଉ କହିଥିଲେ ତାଙ୍କ କାର୍ଯ୍ୟାଳୟକୁ ଆସିଥିବା ବିଟୁଙ୍କ ସହିତ ତାଙ୍କର ଯୁକ୍ତି ହୋଇଥିଲା। ତେବେ ହଠାତ୍‌ ବିଟୁ ବେହୋସ ହୋଇ ଯାଇଛନ୍ତି। ତୁରନ୍ତ ପୁଲିସ ସୁଶ୍ରୀଙ୍କୁ ଧରି ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ବିଟୁଙ୍କ ମୃତଦେହ ତଳେ ପଡ଼ିଥିଲା। ପୁଲିସ ସୁଶ୍ରୀଙ୍କୁ ପଚରାଉଚରା କରିବାରୁ ସେ ତାଙ୍କ ପୁରୁଷ ବନ୍ଧୁ ଚନ୍ଦନ ସହିତ ମିଶି ବିଟୁଙ୍କୁ ହତ୍ୟା କରିଛି ବୋଲି ପୁଲିସ ଆଗରେ ମାନିଥିଲେ। ଏନେଇ ମୃତ ବିଟୁଙ୍କ ପରିବାର ଲୋକଙ୍କୁ ପୁଲିସ ଖବର ଦେଇଥିଲା। ଖବର ପାଇ ପରିବାର ଲୋକ ଭୁବନେଶ୍ୱର ପହଞ୍ଚିଥିଲେ। ଆଜି ବିଟୁଙ୍କ ବାପା ଅଭିଯୋଗ କରିଛନ୍ତି କି ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକ ସଂପୃକ୍ତ ଅଛନ୍ତି। ପୁଲିସ ସେମାନଙ୍କୁ ଗିରଫ କରୁ। ତେବେ ତ୍ରିକୋଣୀୟ ପ୍ରେମକୁ ନେଇ ରାଜଧାନୀରେ ଘଟିଥିବା ଏହି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର