ରାତି ଅଧରେ ଟେକି ନେଇ ବେକ କାଟିବା ଘଟଣା, ଜଣେ ଗିରଫ

ପୁରୁଣା ଭୁବନେଶ୍ୱର: ଜଣେ ଯୁବକଙ୍କୁ ରାସ୍ତାରୁ ଟେକି ନେଇ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଏୟାର ଫିଲଡ଼୍‌ ଥାନା ପୁଲିସ ଆଜି ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲା, ଜାମୁକୋଳି ଗ୍ରାମର ଜଗନ୍ନାଥ ବର(୫୨) ଓରଫ ଦଇନ। ପୁଲିସ ସୂଚନା ଅନୁଯାୟୀ, ଏହି ଥାନା ଅଧୀନ ପଞ୍ଚୁପଲ୍ଲୀ ଗ୍ରାମର ପ୍ରେମାନନ୍ଦ ଭାରୀମଲ୍ଲ ଓରଫ ତମ୍ପ ଗତ ମାର୍ଚ ୧୦ ତାରିଖ ରାତିରେ ଜାମୁକୋଳି ଗ୍ରାମରୁ ବାଇକ୍‌ରେ ଘରକୁ ଫେରୁଥିଲେ। ଜାମୁକୋଳି ଗ୍ରାମର ଚାରିଜଣ ଯୁବକ ତାଙ୍କୁ ଜୋରଜବରଦସ୍ତ ଟେକି ନେଇ ଶ୍ମଶାନ ମୁଣ୍ଡିଆ ରାସ୍ତା ନିକଟ‌ରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ତମ୍ପ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ଫେରାର୍‌ ହୋଇଯାଇଥିଲେ। ସ୍ଥାନୀୟ ଲୋକ ଏହା ଦେଖି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇବା ସହ ପରିବାରଲୋକଙ୍କୁ ଖବର ଦେଇଥିଲେ। ଏନେଇ ଏୟାରଫିଲ୍‌ଡ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର