ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣା : ବ‌ାଲିଅନ୍ତ‌ାରୁ ଅଭିଯୁକ୍ତ ଗିରଫ

ଟଙ୍କା ଲୋଭରେ ନେଇଥିଲା ଜୀବନ

ବାଲିଅନ୍ତା/ନୀଳଗିରି: ଟଙ୍କା ପାଇଁ ଜଣେ ଯୁବକଙ୍କୁ ହତ୍ୟା କରାଯିବାର ୪୦ ଦିନ ପରେ ନୀଳଗିରି ପୁଲିସକୁ ସଫଳତା ମିଳିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶରତ ଭୋଇ(୪୦)କୁ ପୁଲିସ ବାଲିଅନ୍ତା ଥାନା ସହାୟତାରେ ତା’ ଘର ଭିଙ୍ଗାରପୁର ଗ୍ରାମରୁ ଗିରଫ କରିଛି। ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପ‌ଞ୍ଚଲିଙ୍ଗେଶ୍ବର ପୀଠରେ ଗତ ଫେବ୍ରୁଆରି ୮ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା। କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଧୀନ ଡିମିରି ଗ୍ରାମର ବିଚିତ୍ର ବେହେରାଙ୍କ ପୁଅ ବିଶ୍ବରଂଜନ(୩୫)ଙ୍କୁ ପଥରରେ ଛେଚି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଗତ ଫେବ୍ରୁଆରି ୮ ତାରିଖ‌ରେ ଶରତ ନୀଳଗିରି ପଞ୍ଚଲିଙ୍ଗେଶ୍ବର‌େର ବିଶ୍ବରଂଜନଙ୍କୁ ହତ୍ୟା କରି ସେଠାରୁ ଫେରାର୍‌ ହୋଇ ନିଜ ଗାଁକୁ ପଳାଇ ଯାଇଥିଲେ। ଘଟଣାର ପରଦିନ ସକାଳେ ନୀଳଗିରି ପୁଲିସ ମୃତଦେହକୁ ଜବତ କରି ନୀଳଗିରି ଉପଖଣ୍ତ ହସ୍ପିଟାଲକୁ ଆଣିଥିଲା। ମୃତ ଯୁବକଙ୍କ ପକେଟରୁ ଏକ ମୋବାଇଲ ନମ୍ବର ମିଳିଥିଲା। କିନ୍ତୁ ମୃତକର ସଠିକ୍ ଠିକଣା ନ ମିଳିବାରୁ ସେହିଦିନ ଶବ ବ୍ୟବଚ୍ଛେଦ କରାଯାଇନଥିଲା। ଏହି ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ମୃତକଙ୍କ ପରିବାରଲୋକେ ନୀଳଗିରି ଥାନାରେ ପହଞ୍ଚିଥିଲେ। ଏନେଇ ୨୭/୧୯ରେ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଚଳାଇଥିଲା। ତେବେ ବାଲେଶ୍ବର ଏସ୍‌ପିଙ୍କ ନିର୍ଦ୍ଦେଶରେ ତଦନ୍ତକାରୀ ଅଫିସର ତଥା ନୀଳଗିରି ଆଇଆଇସି ନଳିତା ମୋଦୀ ଜବତ ମୋବାଇଲ ନମ୍ବରକୁ ଟ୍ରାକ୍ କରିଥିଲେ। ପରେ ଅଭିଯୁକ୍ତଙ୍କ ଠିକଣା ଜଣାପଡ଼ିଥିଲା। ଆଇଆଇସି ଶ୍ରୀମତୀ ମୋଦୀ ଗତକାଲି ସଦଳବଳେ ଯାଇ ବାଲିଅନ୍ତା ପୁଲିସ ସହାୟତାରେ ତାଙ୍କ ଗ୍ରାମରୁ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ।

ବିଶ୍ବରଂଜନ ଓ ଶରତ ରଙ୍ଗମିସ୍ତ୍ରି ଭାବେ କାମ କରନ୍ତି। ଜଣେ ବ୍ୟକ୍ତିଙ୍କ ଘରେ ରଙ୍ଗକାମ କରୁଥିବା ବେଳେ ବକେୟା ୭୦ ହଜାର ଟଙ୍କା ଉପରେ ଶରତଙ୍କ ଲୋଭ ରହିଥିଲା। ବିଶ୍ବରଂଜନକୁ ମାରିଦେଲେ ବକେୟା ଅର୍ଥକୁ ମାଲିକଠାରୁ ହାତେଇବାର ଯୋଜନା କରି ଶରତ ତାଙ୍କୁ ପ‌ଞ୍ଚଲିଙ୍ଗେଶ୍ବର ବୁଲେଇବାକୁ ଆଣିଥିଲେ। ଘଟଣା ଦିନ ରାତି ପ୍ରାୟ ୮ଟା ସମୟରେ ପଞ୍ଚଲିଙ୍ଗେଶ୍ବର ଶୈବପୀଠରୁ ଜଙ୍ଗଲର କିଛି ଦୂରରେ ଏକ ନିଛାଟିଆ ସ୍ଥାନରେ ପଥରରେ ଛେଚି ହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର