ଘରେ ପଶି ସିଆର୍‌ସିସିଙ୍କୁ ହତ୍ୟା

ଝିଅ ଗୁରୁତର, ଅଭିଯୁକ୍ତର ଆତ୍ମସମର୍ପଣ

ଅମ୍ବାଭୋନା: ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଖଇରପାଲିରେ ଶୁକ୍ରବାର ବିଳମ୍ବିତ ରାତିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଦୁର୍ବୃତ୍ତର ଟାଂଗିଆ ଚୋଟରେ ବରିଷ୍ଠ ଶିକ୍ଷକ ତଥା ସିଆର୍‌ସିସି ସାଧୁଚରଣ ପଧାନ (୫୦)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଆକ୍ରମଣରେ ତାଙ୍କ ଝିଅ ଶ୍ୱେତା ପଧାନ (୧୫) ଗୁରୁତର ଆହତ ହୋଇଛନ୍ତି। ଶ୍ୱେତାର ମୁଣ୍ଡରେ ଗଭୀର ଚୋଟ ଲାଗି ଥିବାରୁ ତାଙ୍କୁ ପ୍ରଥମେ ବରଗଡ଼ ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବୁର୍ଲା ମେଡିକାଲ ପଠାଯାଇଛି। ତେବେ ଏହାପରେ ଆକ୍ରମଣକାରୀ ମହାପାଲି ଗାଁର ନାଗେଶ ଦାଶ (୨୨) ପୁଲିସ୍‌ ଆଗରେ ଆତ୍ମସମର୍ପଣ କରିଛି। ପୁଲିସ ହତ୍ୟାରେ ବ୍ୟବହୃତ ଟାଂଗିଆ ଜବତ କରିଛି। ତେବେ ଏହି ନାଗେଶ କାହିଁକି ଏହି ହତ୍ୟାକାଣ୍ଡ ଘଟାଇଲା ତା’ କାରଣ ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇନାହିଁ। ଶ୍ୱେତାର ବୟାନ ହିଁ ଘଟଣା ଉପରୁ ପରଦା ଉଠାଇବ ବୋଲି କୁହାଯାଉଛି। ବୁର୍ଲାରେ ଚିକିତ୍ସାଧୀନ ଶ୍ୱେତାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ଘଟୁଥିବା ଡାକ୍ତର କହିଛନ୍ତି। ସୂଚନା ମୁତାବକ, ଅତାବିରା ଥାନା ସରଣ୍ଡା ଗାଁର ମୂଳ ନିବାସୀ ସାଧୁଚରଣ ୧୫ ବର୍ଷ ହେଲା ଖଇରପାଲି ଗାଁରେ ଚନ୍ଦ୍ରମଣି ପଟେଲଙ୍କ ଘରେ ଭଡ଼ା ରହୁଥିଲେ। ଗତ ରାତି ପ୍ରାୟ ଗୋଟାଏ ବେଳେ ଅଭିଯୁକ୍ତ ନାଗେଶ ଗୋଟିଏ ଟାଂଗିଆ ଧରି ଉପର ମହଲାକୁ ଯାଇଥିଲା। ସେଠାରେ ଶୋଇଥିବା ଅବସ୍ଥାରେ ସାଧୁଚରଣଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ସାଧୁଚରଣଙ୍କ ମୃତ୍ୟୁ ଘଟିଥିଲା। ଏତିକି ବେଳେ ପାଖରେ ଶୋଇଥିବା ଝିଅ ଶ୍ୱେତା ଉଠି ପଡ଼ିବାରୁ ତାଙ୍କୁ ମଧ୍ୟ ନାଗେଶ ଗୋଟିଏ ଚୋଟ ପକାଇଥିଲା। ଶ୍ୱେତା ମରିଯାଇଥିବା ଭାବି ସେଠାରୁ ପଳାଇଥିଲା।

ସମ୍ବନ୍ଧିତ ଖବର