ନିଶା ନେଲା ଜୀବନ: ଲୁହା ରଡ଼୍‌ ଭୁସି ନିଶାଡ଼ିଙ୍କୁ ହତ୍ୟା

କାରଣ ଅସ୍ପଷ୍ଟ, ସନ୍ଦିଗ୍ଧ ହତ୍ୟାକାରୀ ପରିବାର ଫେରାର

ନୟାଗଡ଼: ନୟାଗଡ଼ ସଦର ଥାନା ଅନ୍ତର୍ଗତ ବାଲୁଗାଁରେ ଆଜି ନିଶା ନେଇଛି ଜୀବନ। ଗୁଲି ନିଶାରେ ଚୁର୍ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଲୁହା ରଡ୍‌ରେ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା‌ ଅନୁଯାୟୀ, ସ୍ଥା‌ନୀୟ ବାଲୁଗାଁର କାର୍ତ୍ତିକ ବେହେରାଙ୍କ ଘରେ ଦୀର୍ଘ ବର୍ଷ ହେବ ଗୁଲି ନିଶା ପ୍ରସ୍ତୁତି କାରବାର ଚାଲି ଆସିଛି। ଏହି ଗୁଲି ଭାଟିକୁ ଆଖପାଖ ଅଞ୍ଚଳର ଗୁଲି ନିଶାଡ଼ିମାନେ ଆସିଥାନ୍ତି। ଆଜି ଅପରାହ୍ଣରେ ନିକଟସ୍ଥ ବୋଦାପଡ଼ା ଗ୍ରାମର ପ୍ରମୋଦ ପରିଡ଼ା, କାର୍ତ୍ତିକଙ୍କ ଘରେ ବସୁଥିବା ଗୁଲିଖଟିକୁ ଗୁଲି ନିଶା ଖାଇବାକୁ ଆସିଥିଲେ। ହେ‌ଲେ କୌଣସି କାରଣରୁ ନିଶାଗ୍ରସ୍ତ ଅବସ୍ଥାରେ ସେଠାରେ ତାଙ୍କର ଯୁକ୍ତିତର୍କ ହେବାରୁ ତାଙ୍କୁ ହତ୍ୟା କରାଯାଇଥିବା ପରିବାରବର୍ଗ କହିଛନ୍ତି। ପ୍ରମୋଦଙ୍କ ପୁଅ ବିଶ୍ବଜିତ୍ କହିଛନ୍ତି, ଆଜି ଦିନ ପ୍ରାୟ ୧୨ଟା ପାଖାପାଖି ମଜୁରିଆ‌ପଲ୍ଲୀର ପ୍ରଭାତ ନାମକ ଜଣେ ବ୍ୟକ୍ତି ତାଙ୍କ ବାପାକୁ ଗୁଲି ନିଶା ଖାଇବାକୁ ବାଲୁଗାଁସ୍ଥିତ କାର୍ତ୍ତିକଙ୍କ ଘରକୁ ଡାକି ନେଇଥିଲା। ଏହାର କିଛି ସମୟ ପରେ ତାଙ୍କ ବାପା ଗୁରୁତର ଭାବେ ସ୍ଥାନୀୟ ଏକ କ୍ଲିନିକରେ ଭର୍ତ୍ତି ହୋଇଥିବା ତାଙ୍କ ଘରକୁ ସୂଚନା ଆସିଥିଲା। କିନ୍ତୁ କ୍ଲିନିକ କର୍ତ୍ତୃପକ୍ଷ କୌଣସି କାରଣରୁ ପ୍ରମୋଦଙ୍କ ଚିକିତ୍ସା କରିବାକୁ ମନା କରିଦେଇଥି‌ଲେ। ଏହା ପରେ ପ୍ରମୋଦଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣାଯାଇଥିଲା। ଡାକ୍ତର ସେଠାରେ ପ୍ରମୋଦଙ୍କୁ ମୃତ ଘୋଷଣ କରିଥିଲେ। କେଉଁଭଳି ସ୍ଥିତିରେ, କ’ଣ ପାଇଁ ପ୍ରମୋଦଙ୍କୁ ହତ୍ୟା କରାଗଲା ତା’ର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଏ ନେଇ ତଦନ୍ତ ଚାଲିଥିବା ନୟାଗଡ଼ ଏସ୍‌ଡିପିଓ ନିରଞ୍ଜନ ପାଢୀ ସୂଚନା ଦେଇଥିବା ବେଳେ ସନ୍ଦିଗ୍ଧ କାର୍ତ୍ତିକଙ୍କ ପରିବାର ଫେରାର‌୍ ହୋଇ ଯାଇଥିବାରୁ ପୁଲିସ୍‌ର ତଦନ୍ତ ବେଶୀ ବାଟ ଆଗେଇ ପାରିନାହିଁ।

ସମ୍ବନ୍ଧିତ ଖବର