ପାତ୍ରପଡ଼ାରୁ ଟେକି ନେଲେ, ପିପିଲିରେ ହାଣି ଫିଙ୍ଗିଦେଲେ

ଖଣ୍ଡଗିରି: ମଙ୍ଗଳବାର ବିଳମ୍ବିତ ରାତିରେ ୪ ଜଣ ଦୁର୍ବୃତ୍ତ ତମାଣ୍ଡୋ ଥାନା ପାତ୍ରପଡ଼ାସ୍ଥିତ ଏକ ଢାବାରୁ ଜଣେ ଯୁବକଙ୍କୁ ଉଠାଇନେଇ ପିପିଲିରେ ହାଣି ଫିଙ୍ଗି ଦେଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ଯୁବକ ହେଲେ ଭୁବନେଶ୍ୱର ୟୁନିଟ୍‌-୮ ଅଞ୍ଚଳର ନୃସିଂହ ସ୍ୱାଇଁ(୩୨)। ବୁଧବାର ଭୋର୍‌ ସମୟରେ ପିପିଲି ଥାନା ପୁଲିସ ନୃସିଂହଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତି କରିଛି। ସେ ଏବେ ଚିକିତ୍ସାଧୀନ ଅଛନ୍ତି।

ସୂଚନାନୁସାରେ ବରମୁଣ୍ଡା ତଳସାହିର ପପୁ ସ୍ୱାଇଁ ଓ ୟୁନିଟ୍‌-୮ରେ ରହୁଥିବା ତାଙ୍କ ସମ୍ପର୍କୀୟ ଭାଇ ନୃସିଂହ ସ୍ୱାଇଁ ମଙ୍ଗଳବାର ରାତିରେ ଢାବାରେ ଖାଇବା ପାଇଁ ତମାଣ୍ଡୋ ଯାଇଥିଲେ। ପ୍ରଥମେ ସେମାନେ ଖଣ୍ଡଗିରିସ୍ଥିତ ଏକ ଢାବାରେ ପହଞ୍ଚିଥିଲେ ବି କୌଣସି କାରଣରୁ ସେଠାରୁ ଫେରି ଭଗବାନପୁରସ୍ଥିତ (ପାତ୍ରପଡ଼ା) ପାଟ୍ଟଶାଣୀ ଢାବାକୁ ଯାଇଥିଲେ। ସେତେବେଳକୁ ରାତି ପ୍ରାୟ ୧ଟା ଟପି ଯାଇଥିଲା। ଢାବାରେ ଖାଇବା ସମୟରେ ପୂର୍ବରୁ ସେଠାରେ ଖାଉଥିବା ୪ ଜଣ ଯୁବକଙ୍କ ସହ ନୃସିଂହ ଓ ପପୁଙ୍କର ବଚସା ହୋଇଥିଲା। ୪ ଜଣଯାକ ଯୁବକ ଖାଇବା ସାରି ଢାବା ବାହାରକୁ ଆସି ସେମାନଙ୍କ କାର୍‌(ଭେର୍‌ନା ନମ୍ବର ନଥିବା) ନିକଟରେ ଅପେକ୍ଷା କରିଥିଲେ। ପପୁ ଓ ନୃସିଂହ ଢାବା ବାହାରକୁ ଆସିବାକ୍ଷଣି ସେମାନେ ନୃସିଂହଙ୍କୁ କାର୍‌ ଭିତରକୁ ଟେକି ନେଇଥିଲେ। ପପୁ ପ୍ରତିରୋଧ କରିବାକୁ ଉଦ୍ୟମ କଲାବେଳେ ଜଣେ ଯୁବକ ତାଙ୍କୁ ମାରଣାସ୍ତ୍ର ଦେଖାଇ ଗୋଡ଼ାଇ ଯାଇଥିଲା। ଦୁର୍ବୃତ୍ତମାନେ ନୃସିଂହଙ୍କୁ ନେଇ ୧୬ ନମ୍ବର ଜାତୀୟ ରାଜପଥରେ ଖୋର୍ଧା ଦିଗରେ ପଳାଇଥିଲେ। ନୃସିଂହଙ୍କୁ ଅପହରଣ କରିନେବା ପରେ ପପୁ ରାତି ପ୍ରାୟ ସାଢ଼େ ୪ଟାବେଳକୁ ତମାଣ୍ଡୋ ଥାନାରେ ପହଞ୍ଚି ଅପହରଣ ବାବଦରେ ପୁଲିସକୁ ସୂଚନା ଦେଇଥିଲେ। ସେପଟେ ଭୋର୍‌ ପ୍ରାୟ ୫ଟାବେଳକୁ ପିପିଲି ଥାନା ଅନ୍ତର୍ଗତ ୩୧୬ ନମ୍ବର ଜାତୀୟ ରାଜପଥ ଗୁଡ଼ିଆପୋଖରୀ ନିକଟ ଶିଉଳା ଛକରେ ଜଣେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖି ଫୁଲ ତୋଳିବାକୁ ବୁଲୁଥିବା ସ୍ଥାନୀୟ ଲୋକେ ପୁଲିସକୁ ଜଣାଇଥିଲେ। ଦୁର୍ବୃତ୍ତମାନେ ଅଣ୍ଟା ତଳକୁ ଛୁରା ମାଡ଼ କରିଥିଲେ। ସେହିଭଳି କାନ୍ଧରେ ମଧ୍ୟ ଏକ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପିପିଲି ଥାନା ପୁଲିସ ତାଙ୍କୁ ଉଦ୍ଧାର କରି ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା ଓ ଘଟଣା ବାବଦରେ ଜାଣିବା ପରେ ତମାଣ୍ଡୋ ଥାନା ପୁଲିସକୁ ଜଣାଇଥିଲା। ତମାଣ୍ଡୋ ଥାନା ପୁଲିସ ପପୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ତମାଣ୍ଡୋ ଥାନା ପୁଲିସ ସହ ଏକ ସ୍ୱତନ୍ତ୍ର ଟିମ୍‌ ଏହି ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

ସମ୍ବନ୍ଧିତ ଖବର