ମନ୍ଦିର ଭିତରେ ୨ ସାଧୁଙ୍କ ହତ୍ୟା ଘଟଣାକୁ ନେଇ ୟୁପିରେ ତୀବ୍ର ଉତ୍ତେଜନା; ୨ ପୁଲିସ୍‌ ଅଧିକାରୀ ନିଲମ୍ବିତ

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶର ଔରିଆ ଠାରେ ଏକ ମନ୍ଦିର ମଧ୍ୟରେ ଦୁଇ ଜଣ ସାଧୁଙ୍କୁ ଗତ ମଙ୍ଗଳବାର ରାତିରେ ହତ୍ୟା କରାଯିବା ଘଟଣାକୁ କେନ୍ଦ୍ର କରି ସମଗ୍ର ଉତ୍ତରପ୍ରଦେଶରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଏହି ଘଟଣାରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ତ୍ୱରିତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କର୍ତ୍ତବ୍ୟରେ ଅବହେଳା କରିଥିବାରୁ ଦୁଇ ଜଣ ପୁଲିସ୍‌ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା ଦୁଇ ପୁଲିସ୍‌ ଅଧିକାରୀ ହେଲେ ବିଧୋନା ପୁଲିସ୍‌ ଥାନାର ଇନ୍ସପେକ୍ଟର-ଇନ୍‌ ଚାର୍ଜ ଅଖିଳେଶ ମିଶ୍ର ଏବଂ କନେଷ୍ଟବଲ ଇସ୍‌ଲାମ୍‌।

ପୁଲିସ୍‌ ସୂତ୍ରରୁ ପ୍ରକାଶ, ଗତ ମଙ୍ଗଳବାର ବିଳମ୍ବିତ ରାତିରେ ବିଧୋନା ଥାନା ଅନ୍ତର୍ଗତ କୁଦରକୋଟ ଅଞ୍ଚଳରେ ଥିବା ଭୟଙ୍କନାଥ ମନ୍ଦରରେ ତିନି ଜଣ ସାଧୁ ଶୋଇଥିବା ବେଳେ କେତେକ ଅଜ୍ଞାତ ଲୋକ ମନ୍ଦିର ଭିତରେ ପ୍ରବେଶ କରି ଲାଜ୍ଜାରାମ ଓ ହାଲକିରାମ ନାମକ ଦୁଇ ଜଣ ସାଧୁଙ୍କ ଉପରେ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ବେଳେ ଅନ୍ୟ ଜଣେ ସାଧୁ ରାମ ଶରଣ ଉପରେ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିଲେ।

ଆଜି ସକାଳୁ ସ୍ଥାନୀୟ ଲୋକମାନେ ଏହି ହତ୍ୟା ଘଟଣା ସଂପର୍କରେ ଜାଣିବା ପରେ ସଂପୃକ୍ତ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସଂପର୍କରେ ଖବର ପାଇବା ପରେ  ଜିଲ୍ଲାପାଳ ଶ୍ରୀକାନ୍ତ ମିଶ୍ର ଓ ଏସ୍‌ପି ନାଗେଶ୍ୱର ସିଂହ ସଙ୍ଗରେ ପୁଲିସ୍‌ ଫୋର୍ସ ଧରି ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାସ୍ଥଳରେ ସଶସ୍ତ୍ର ପୁଲିସ୍‌ ବାହିନୀଙ୍କୁ ମୁତୟନ କରାଇଥିଲେ। ଏହି ଘଟଣାରେ ସଂପୃକ୍ତ ଅପରାଧୀଙ୍କୁ ଧରିବା ପାଇଁ ଏବେ ପୁଲିସ୍‌ ପକ୍ଷରୁ ବ୍ୟାପକ ଅଭିଯାନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର