ପଞ୍ଚତାରକା ହୋଟେଲର ବାଥଟବ୍‌ରୁ ମିଳିଲା ଏନଆଇଆଇ ବ୍ୟବସାୟୀଙ୍କ ପତ୍ନୀଙ୍କ ମୃତଦେହ

ନୂଆଦିଲ୍ଲୀ:ଫରିଦାବାଦର ଏକ ପଞ୍ଚତାରକା ହୋଟେଲର ବାଥରୁମ୍‌ ଟବ୍‌ରୁ ଆମେରିକାରେ ରହୁଥିବା ଜଣେ ଏନଆରଆଇ ବ୍ୟବସାୟୀଙ୍କ ପତ୍ନୀଙ୍କ ମୃତଦେହ ପୁଲିସ ଜବତ କରିଛି। ଅତ୍ୟନ୍ତ ରହସ୍ୟଜନକଭାବେ ବାଥଟବ୍‌ରୁ ତାଙ୍କ ମୃତଦେହ ଜବତ କରି ପୁଲିସ ବ୍ୟବଛେଦ ପାଇଁ ପଠାଇଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣା ପଛର ରହସ୍ୟ ଜଣାପଡ଼ିବ ବୋଲି ପୁଲିସ କହିବା ସହିତ ଏହି ଘଟଣାରେ ହୋଟେଲ କର୍ମଚାରୀଙ୍କୁ ପଚରାଉଚରା କରୁଛି।

ଆମେରିକାର ନ୍ୟୁ ଜର୍ସିରେ ବ୍ୟବସାୟ କରୁଥିବା ଅରୁଣ କୁମାରଙ୍କ ପତ୍ନୀ ରିତୁ ଶର୍ମା(୪୨ ବର୍ଷ) । ରିତୁ ଗତ ମାର୍ଚ୍ଚ ମାସରେ ଅରୁଣଙ୍କୁ ବିବାହ କରିଥିଲେ। ରିତୁଙ୍କର ଏହା ଦ୍ୱିତୀୟ ବିବାହ ହୋଇଥିବା ବେଳେ ଅରୁଣଙ୍କର ଏହା ତୃତୀୟ ବିବାହ ଥିଲା। ତେବେ ଗତ ଅଗଷ୍ଟ ମାସରେ ରିତୁ ନୂଆଦିଲ୍ଲୀ ଆସି ତାଙ୍କ ଭଉଣୀମାନଙ୍କ ପାଖରେ ରହୁଥିଲେ ଓ କେତେବେଳେ କେମିତି ହୋଟେଲରେ ମଧ୍ୟ ରହୁଥିଲେ। ତେବେ ରବିବାର ଦିନ ରିତୁ ଫରିଦାବାଦର ଏକ ପଞ୍ଚତାରକା ହେଟେଲର ରୁମ୍‌ ନମ୍ବର ୬୩୧ରେ ଆସି ରହିଥିଲେ। ତେବେ ଗୁରୁବାର ସନ୍ଧ୍ୟାରେ ରିତୁ ହେଟେଲ ଷ୍ଟାଫ୍‌ଙ୍କୁ କହିଥିଲେ ଯେ ସେ ନ ଜଣାଇବା ପର୍ଯ୍ୟନ୍ତ କାହାର ଫୋନ୍‌ କଲ ତାଙ୍କୁ ଦେବେ ନାହିଁ କିମ୍ବା ତାଙ୍କୁ କେହି ଯେମିତି ଡିଷ୍ଟର୍ବ ନ କରନ୍ତି। ତେବେ ରିତୁଙ୍କ ଭଉଣୀମାନେ ତାଙ୍କୁ ଯୋଗାଯୋଗ କରି ନ ପାରି ଏ ନେଇ ଅରୁଣଙ୍କୁ ଜଣାଇଥିଲେ। ଅରୁଣ ଓ ରିତୁଙ୍କ ଭଉଣୀମାନେ ଏକା ସମୟରେ ହୋଟେଲରେ ପହଞ୍ଚି ଯେତେ ଚେଷ୍ଟା କଲେ ମଧ୍ୟ ରିତୁ କବାଟ ନ ଖୋଲିବାରୁ ହୋଟେଲର ଅନ୍ୟ ଚାବିରେ ରୁମ୍‌ ଖୋଲି ଭିତରେ ପଶି ବାଥରୁମ୍‌ର ଟବ୍‌ ଭିତରେ ରିତୁ ପଡ଼ିଥିବା ଦେଖିଥିଲେ। ସଙ୍ଗେ ସଙ୍ଗେ ପୁଲିସକୁ ଖବର ଦିଆଯିବା ସହିତ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସୁରଜକୁଣ୍ଡ ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର