ଲାଞ୍ଚ ନେଇ ଅଭିଯୁକ୍ତକୁ ଛାଡ଼ି ଦେବାକୁ କରିଥିବା ଚୁକ୍ତି ମହଙ୍ଗା ପଡ଼ିଲା; ଗିରଫ ହେଲେ ୪ ଖାକି ପୋଷାକଧାରୀ

ନୂଆଦିଲ୍ଲୀ: ଲାଞ୍ଚ ନେଇ ନିଜର ଖାକି ପୋଷାକରେ ଦାଗ ଲଗାଇଛନ୍ତି ଦିଲ୍ଲୀର କିଛି ପୁଲିସ୍‌ କର୍ମଚାରୀ। ସେମାନେ ଜଣେ ଅଭିଯୁକ୍ତକୁ ଛାଡ଼ି ଦେବା ପାଇଁ ମୋଟା ଅଙ୍କର ଅର୍ଥ ଦାବି କରିଥିବା ସୂଚନା ରହିଛି। ଜାଣିବାକୁ ମିଳିଛି ୪ ଜଣ ପୁଲିସ୍‌ କର୍ମଚାରୀ ଜଣେ ଅଭିଯୁକ୍ତକୁ ଛାଡ଼ି ଦେବା ପାଇଁ ୧ କୋଟି ଟଙ୍କା ଦାବି କରିଥିଲେ। ଅଭିଯୁକ୍ତ ଜଣ ୨୫ ଲକ୍ଷ ଲେଖାଏ ୪ କିସ୍ତିରେ ୧ କୋଟି ଦେବ ବୋଲି ଚୁକ୍ତି ହୋଇଥିଲା। ମାତ୍ର ଅଭିଯୁକ୍ତ ଜଣକ ପ୍ରଥମ କିସ୍ତିରେ ୧୧ ଲକ୍ଷ ଟଙ୍କା ଦେଇଥିଲା। ଏହି ୧୧ ଲକ୍ଷ ଟଙ୍କାକୁ ସେମାନେ ପରସ୍ପର ଭିତରେ ବାଣ୍ଟି କରି ନେଇଥିଲେ। ଏହି ଟଙ୍କା ବଟରାକୁ ନେଇ ପରସ୍ପରଙ୍କ ମଧ୍ୟରେ ସାମାନ୍ୟ କାଳହ ହୋଇଥିଲା। ସାମାନ୍ୟ କଳହ ଧୀରେ ଧୀରେ ଉଗ୍ର ରୂପ ନେବାରୁ ମାମଲାଟି ବାହାରେ ଖୋଲିଗଲା। ସେମାନେ ଲାଞ୍ଚ ନେଇ ଅଭିଯୁକ୍ତଙ୍କୁ ଛାଡ଼ିବାକୁ ଚୁକ୍ତି କରିଥିବା କଥାଟି ଚାରିଆଡ଼େ ଖେଳିଗଲା।

ଏହି ମାମଲାକୁ ନେଇ ଦିଲ୍ଲୀ ପୁଲିସ୍‌ ଏମାନଙ୍କ ନାମରେ ମାମଲା ରୁଜୁ କରିଛି। କେବଳ ମାମଲା ରୁଜୁ ନୁହେଁ, ଦିଲ୍ଲୀ ପୁଲିସ୍‌ ଆସିଷ୍ଟାଣ୍ଡ୍‌ ସବ୍‌-ଇନ୍‌ସ୍ପେକ୍ଟରଙ୍କ ସମତେ ୪ ଜଣ ପୁଲିସ୍‌ କର୍ମୀଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର