ପ୍ରଥମେ ବାପାଙ୍କ ପାସ୍‌ଓ୍ଵାର୍ଡ କୁହ ବୋଲି ପୁଅ ମୁହଁରୁ ଶୁଣିବା ପରେ ଅପହରଣକାରୀ କାହିଁକି ଦୌଡ଼ି ପଳାଇଲା ଜାଣନ୍ତୁ

ଗାଜିଆବାଦ: ରବିବାର ଜଣେ ୧୨ବର୍ଷୀୟ ବାଳକ ନିଜର ଉପସ୍ଥିତ ବୁଦ୍ଧି ହେତୁ ଅପହରଣକାରୀଠାରୁ ରକ୍ଷା ପାଇ ଯାଇଛି। ଅପହରଣକାରୀ ବାଳକ ବାପାର ଦୁର୍ଘଟଣା ହୋଇଛି ବୋଲି ଭୟ ଦେଖାଇ ଅପହରଣ କରିବାକୁ ଉଦ୍ୟମ କରିଥିବା ଯୋଜନା ପଣ୍ଡ ହୋଇଯାଇଛି।

ସୂଚନାଯୋଗ୍ୟ, ନୋଏଡାସ୍ଥିତ ଏକ ବହୁରାଷ୍ଟ୍ରୀୟ କମ୍ପାନି ପ୍ରବନ୍ଧକ ନିଜର ପତ୍ନୀ, ପୁଅ ଓ ଦୁଇ ଝିଅ ସହିତ ଇନ୍ଦିରାପୁରମସ୍ଥିତ ପାର୍ଶ୍ୱନାଥ ମ୍ୟାଜେଷ୍ଟିକ୍‌ ଫ୍ଲୋର୍ସରେ ବସବାସ କରନ୍ତି। ରବିବାର ସନ୍ଧ୍ୟାରେ ପ୍ରବନ୍ଧକ ମାର୍କେଟ ଯାଇଥିଲେ। ୭ମ ଶ୍ରେଣୀରେ ପଢ଼ୁଥିବା ତାଙ୍କ ୧୨ବର୍ଷର ପୁଅ ଘର ବାହାରେ ଖେଳୁଥିଲା। ଏହି ସମୟରେ ୩୫ବର୍ଷର ଜଣେ ଯୁବକ ପିଲା ପାଖକୁ ଆସି ବାପାର ଦୁର୍ଘଟଣା ହୋଇଯାଇଛି ଓ ତାକୁ ଡାକୁଛନ୍ତି ବୋଲି କହିଥିଲା। ଏଭଳି ଭାବେ ଉକ୍ତ ବ୍ୟକ୍ତି ଜଣକ ପିଲାକୁ ଘରଠାରୁ ଦୂରେଇ ନେବାକୁ ଚେଷ୍ଟା କରୁଥିଲା। ଏହାପରେ ପିଲାଟି କହିଲା ବାପା କ’ଣ ପାସ୍‌ଓ୍ଵାର୍ଡ କହିଛନ୍ତି। ପ୍ରଥମେ ପାସ୍‌ଓ୍ଵାର୍ଡ କୁହ ତା’ପରେ ମୁଁ ଯିବି। ପିଲା ମୁହଁରୁ ଏପରି କଥା ଶୁଣିବା ପରେ ଅପହରଣକାରୀ ଭୟଭୀତ ହୋଇଯାଇଥିଲା। ପିଲାଟି ଏହାପରେ ଚିତ୍କାର କରିବା ପରେ ଉକ୍ତ ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା। ପରିବାର ଲୋକ ଏନେଇ ପୁଲିସ ଷ୍ଟେସନ୍‌ରେ ଅଭିଯୋଗ ଦେବା ପରେ ପୁଲିସ ପାଖ ସିସିଟିଭି ଫୁଟେଜ ଯାଞ୍ଚ କରି ଅପହରଣକାରୀକୁ ଧରିବା ପାଇଁ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର